ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ଓମ କଲ୍ୟାଣ ମଣ୍ଡପଠାରେ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ପ୍ରାତଃ ୯ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ୪୨ ତମ ପ୍ରତିଷ୍ଠା ଦିବସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ ଏହାର ସିଧା ପ୍ରସାରଣକୁ ନବରଙ୍ଗପୁର ଜିଲ୍ଲା ବିଜେପି ନେତୃମଣ୍ଡଳ ସମେତ କାର୍ଯ୍ୟକର୍ତ୍ତା ମାନେ ଏକାଠି ଉପଭୋଗ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଗଙ୍ଗାଧର ସାମନ୍ତରାୟ, ଉପ ସଭାପତି ସତ୍ୟବାଦୀ ଷଡଙ୍ଗୀ, ପୌର ଅଧକ୍ଷ କୁନୁ ନାୟକ, ଚାଷୀ ନେତା ରାଜେନ୍ଦ୍ର ତ୍ରିପାଠୀ ମଞ୍ଚାସୀନ ହୋଇଥିବା ବେଳେ ଯୁବ ନେତା ସୁବ୍ରତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ୪୨ ବର୍ଷରେ ବିଜେପି ନେତା ଓ କର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦେଶ ପାଇଁ ଉତ୍ସର୍ଗକୃତ କାର୍ଯ୍ୟ କରି ଆଜି ବିଜେପି ଦୁଇ ଦୁଇ ଥର ଏକକ ସଂଖ୍ୟାଗରିଷ୍ଠ ହାସଲ କରି ଶିଖରରେ ପହଞ୍ଚିଛି ବୋଲି ଜଗଦୀଶ ବିଷୋୟୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମନୋଜ ମହାଙ୍କୁଡ଼, ସୁଭମ ଚୌଧୁରୀ, ଉଡ୍ର ପଟ୍ଟନାୟକ, ଜ୍ୟୋତି ରଞ୍ଜନ କଂସ ଓ ମହିଳା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।