ବିଶାଖାପାଟଣା: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଚାଲିଗଲା ୭ ଜୀବନ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା । ରାତିର ଅନ୍ଧକାର ମଧ୍ୟରେ ଲୌହ ଦାନବ ନେଇଗଲା ୭ ଜୀବନ ।
ସୂଚନା ଅନୁସାରେ, କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନ୍ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା । ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ଇଞ୍ଜିନ ଖରାପ ହେବାରୁ ଟ୍ରେନ୍ଟି ଅଟକିଥିଲା । ଏହି ସମୟରେ କିଛି ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ଟ୍ରାକ୍ରେ ବୁଲୁଥିଲେ । ହୁଏତ କିଛି ସମୟ ପରେ ଟ୍ରେନ୍ ଠିକ୍ ହୋଇଥିଲେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା । କିଛି ବୁଝିବା ଆଗରୁ ରାତିର ଅନ୍ଧକାରରେ ମାଡି ଆସିଲା ମୃତ୍ୟୁ ।
ଏହି ସମୟରେ ଅପର ପାର୍ଶ୍ୱରୁ ଦ୍ରୁତ ଗତିରେ ମାଡି ଆସୁଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଟ୍ରାକ୍ରେ ଥିବା ୭ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଏଥିରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଶ୍ରୀକାକୁଲମ ଏସ୍ପି ଜି. ଆର ରାଧିକାଙ୍କ କହିବା ମୁତାବିକ, ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତଦେହ ଜବତ ସହ ସେମାନଙ୍କ ଚିହ୍ନଟ କରାଯାଇଛି । ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍ ଜଗନ ମୋହନ ରେଡ୍ଡି ।