ନବରଙ୍ଗପୁର: ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଆଥ୍ଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳର ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୁବନେଶ୍ୱର ସ୍ଥିତ କିଟ ଆଥଲେଟିକ ଷ୍ଟାଡିୟମରେ ୬୮ ତମ ରାଜ୍ୟ ଆଥଲେଟିକ ମିଟରେ ଯୋଗ ଦେଇ ନବରଙ୍ଗପୁର ଦଳର ଖେଳାଳିମାନେ ମୋଟ ୫ଟି ସ୍ୱର୍ଣ୍ଣ,୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଇତିହାସ ରଚିଛନ୍ତି । ଉକ୍ତ ପ୍ରତିଯୋଗିତାରେ ମହେନ୍ଦ୍ର ସାନ୍ତା ୨ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ବବିତା ସାନ୍ତା, ସୁରେନ୍ଦ୍ର ସାନ୍ତା, ଶିବ ପରଜା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସୁଶାନ୍ତ ସାୟାନ ୨ଟି ରୌପ୍ୟ ଏବଂ ଶୁଭମ ଜ୍ୟୋତି ସିଂ ୨ଟି ବ୍ରୋଞ୍ଜ, କାହ୍ନ୍ନୁ ବିରୁଆ ଓ ଦୁର୍ଗା ହରିଜନ ଗୋଟାଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲାକୁ ଗର୍ବିତ କରିଛନ୍ତି । ଉକ୍ତ ସଫଳତା ପାଇଁ ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଆଥଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଜିଲ୍ଳା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସଫଳତା ଆଗକୁ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦଳର କୋଚ ଭାବରେ ଦୁର୍ଯ୍ୟ ହରିଜନ ଏବଂ ମ୍ୟାନେଜର ଭାବରେ ଶେଷ ସାନ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସପନ ବୈରାଗୀ ଓ ଏମ.ବିଜୟ କୁମାର ଅଫିସିଆଲ ଦାୟିତ୍ୱ ତୁଲାଇଥିଲେ । ଦଳର ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା କ୍ରୀଡ଼ା ସଙ୍ଘର ସଭାପତି କୋମଳ ଲଚୋନ ମିଶ୍ର ଏବଂ ଜିଲ୍ଲାର ପ୍ରାକ୍ତନ ଖେଳାଳିମାନେ ଖେଳାଳିଙ୍କୁ ଭୁରିଭୁରି ପ୍ରଶଂସା କରିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।