ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେବାୟତ ପ୍ରତିନିଧି କହିଛନ୍ତି । ସେହିପରି ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ବୈଠକରେ ଚୁଡାନ୍ତ ହୋଇଛି । ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲା ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ମନ୍ଦିର ଭିତରେ ଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।