ବଲାଙ୍ଗୀର: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ପରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନବନିର୍ବାଚିତ ନଗରପାଳ ତଥା ବିଧାୟକ ଭାଇ ବରିଆମ ସିଂ ସାଲୁଜା କିଛି ଠିକାଦାରଙ୍କୁ ନେଇ ପୁଣିଥରେ ଭୂମି ପୂଜନ ଓ ଶିଳାନ୍ୟାସ କରି ଶସ୍ତା ରାଜନୀତି ଓ ଲୋକପ୍ରିୟତା ଚେଷ୍ଟାରେ ଅଛନ୍ତି ବୋଲି ବିଜୁ ଜନତା ଦଳ ବିଧାୟକ ପ୍ର୍ରାର୍ଥୀ ଅଜୟ ଦାସ କହିଛନ୍ତି । ପ୍ରକାଶ ଯେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନରେ ୬ କୋଟି ୩୪ ଲକ୍ଷ ଇଣ୍ଡୋର ଷ୍ଟାଡ଼ିୟ ମ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୧୬/୧୨/୨୧ରେ ହୋଇଥିଲା । ସେହିପରି ୯/୧/୨୦୨୨ ଦିନ ଏହି ପ୍ରକଳ୍ପର ଭୂମି ପୂଜନ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଶେଷ ହୋଇଥିଲା । ବିଭିନ୍ନ ଖବର କାଗଜରେ ସେତେବେଳେ ଖବର ପ୍ରକାଶ ପାଇଥିଲା । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଚାରି ଥର ବିଧାୟକ ହୋଇଥିବା ସତ୍ତେ୍ୱ ଶ୍ରୀ ସାଲୁଜାଙ୍କ ଗୋଟିଏ ଆଖିଦୃଷ୍ଟିଆ କାର୍ଯ୍ୟ ନଜରକୁ ଆସିନାହିଁ ବୋଲି କହିଛନ୍ତି ଶ୍ରୀ ଦାସ । ଗାଁ ମାନଙ୍କରେ ପ୍ରହରୀ ମଣ୍ଡପ ପାଇଁ ୫୦ ହଜାର, ଏକ ଲକ୍ଷ ଟଙ୍କା ତାଙ୍କର ବିଧାୟକ ପାଣ୍ଠିରୁ ଦେବା ବ୍ୟତୀତ ଅଂଚଳର ସ୍ଥାୟୀ ସମସ୍ୟାର କୌଣସି ସମାଧାନ କରିବାର ନଜିର ଦେଖିବାକୁ ମିଳୁନାହିଁ । ଥରେ ହୋଇଥିବା ଭୂମି ପୂଜନ ଯୋଜନାକୁ ଆଉଥରେ ଭୂମି ପୂଜନ ପଛରେ ଉଦ୍ଦେଶ୍ୟ ବିଷୟରେ ପ୍ରଶ୍ନ କରିଛନ୍ତି ଶ୍ରୀ ଦାସ । ବିଧାୟକ ଶ୍ରୀ ସାଲୁଜା ଓ ତା ନବ ନିର୍ବାଚିତ ନଗରପାଳ ଭାଇଙ୍କ ଶସ୍ତା ରାଜନୀତି ଓ ଲୋକପ୍ରିୟତାର ଶସ୍ତା ରାସ୍ତାକୁ ଗୋଟିଏ ନାଟକ କହିବା ସହିତ ବିଜୁ ଜନତା ଦଳ ଦୃଢ ନିନ୍ଦା କରିବା କଥା ପ୍ରେସ ବିବୃତି ମାଧ୍ୟମରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ରାଜ୍ୟ ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ସମ୍ପାଦକ ବିନୟ ଭୂଷଣ ବିଭାର, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ଯାଦବ, ନଗର ସଭାପତି ଦେବାର୍ଜନ ବାରିକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶାନ୍ତନୁ ବିଭାର, ୱାର୍ଡ ମେମ୍ବର ମନିଷ ଅଗ୍ରୱାଲ, ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।