ନୂଆଦିଲ୍ଲୀ,୧୫/୪: ଆଉ ଟିକେ ଡେରି ହୋଇଥଲେ ଜଳିଯାଇଥାନ୍ତେ ଶତାଧିକ ବୀମାନ ଯାତ୍ରୀ । କିନ୍ତୁ ଉନିବା ଅବସ୍ଥାରେ ଥିବା ଏହି ବିମାନର କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏକ ଇଣ୍ଡିଗୋ ବିମାନ ସହିତ ହୋଇଥିଲା ଏଭଳି ଘଟଣା । ଇଣ୍ଡିଗୋ ବିମାନରେ ଦିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ରେ ହଠାତ ନିଆଁ ଲାଗିଯାଇଥିଲା, କିନ୍ତୁ ବିମାନରେ ଥିବା କ୍ୟାବିନ୍ କର୍ମଚାରୀମାନେ ‘ଫାୟାର୍ ଏକ୍ସଷ୍ଟିନଗୁଇସର୍’ ସାହାଯ୍ୟରେ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ଦେଇଥିଲେ । ଡିଜିସିଏ ଅଧିକାରୀମାନେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଯାତ୍ରୀ କିମ୍ବା କ୍ରୁ’ମେମ୍ବର୍ ଆହତ ହୋଇନାହାନ୍ତି । ବିମାନଟି ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ରୁ ନିଆଁ ସ୍ଫୁଲିଙ୍ଗ (ସ୍ପାର୍କ) ଏବଂ ଧୂଆଁ ବାହାରୁଥିବାର କ୍ରୁ’ମେମ୍ବର୍ମାନେ ଦେଖିପାରିଥିଲେ । ତୁରନ୍ତ ସେମାନେ ‘ଫାୟାର୍ ଏକ୍ଷ୍ଟିଙ୍ଗ୍ୟୁଇସର୍’ ଯୋଗେ ନିଆଁ ଲିଭାଇ ଦେଇଥିଲେ । ଏହାପରେ, ବିମାନଟି ନିରାପଦରେ ଅବତରଣ କରିଥିଲା । ‘ଇଣ୍ଡିଗୋ’ କହିଛି,ଦୁର୍ବିପାକ ଘଟାଇବା ଭଳି ଘଟଣା ପରିଚାଳନା ନିମନ୍ତେ ତାଲିମ ପାଇଥିବା ବିମାନ ପରିଚାରକମାନେ ତୁରନ୍ତ ପରିସ୍ଥିତିର ମୁକାବିଲା କରିଥିଲେ । ବିମାନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ଏହି ଘଟଣାରେ ଆହତ ହୋଇ ନାହାନ୍ତି ।