ବୌଦ୍ଧ,୧୭/୪- ଆଜି ସ୍ଥାନୀୟ ଟାଉନହଲ ଠାରେ ବୌଦ୍ଧ ପୋଲିସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ସଂରକ୍ଷିତ ଆରକ୍ଷୀ ନୀରିକ୍ଷକ ମଧୁସୂଦନ ମହାପାତ୍ର, ଡେପୁଟି କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ପୋଲିସ ବିଭାଗ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ପକ୍ଷରୁ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ରକ୍ତଦାନ ଏକ ମହତ ଦାନ ତେଣୁ ଆମେ ସମସ୍ତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରିଲେ ଜୀବନର ସାର୍ଥକତା ରହିବ ବୋଲି ଶିବିରରେ ଆହ୍ୱାନ କରାଯାଇଥିଲା । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଡ. ବିଜୟ କୁମାର ଦାସ, ଟେକନିସିଆନ ଦିଲ୍ଲିପ କୁମାର ଭୋଇ, ନର୍ସିଂ ଅଫିସର ଆରତୀ ସେଠୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନ ପ୍ରକାଶ ପାଣିଗ୍ରାହୀ, ସହକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁରଜ କୁମାର ଭୋକ୍ତା, ଋତୁମ୍ଭରା ସାହୁ, କରଣାକର ମହାକୁଡ ପରିଚାଳନା କରିଥିଲେ । କନେଷ୍ଟବଳ ସଂଘ ସଭାପତି ବୁଲୁ ମିଶ୍ର ଓ ସଂପାଦକ ହୃଷିକେଶ ମେହେରଙ୍କ ସମେତ ପୋଲିସ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।