ଗଜପତି,୧୮/୪- ମହାନ ଜନନାୟକ, ପ୍ରବାଦ ପୁରୁଷ କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା ପୂଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀଘାଟ ଠାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସକାଳ ସମୟରେ ଦଳୀୟନେତା ଓ କର୍ମୀମାନେ ତିଳତର୍ପଣ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପର୍ଣ୍ଣ କରି ପୁଷ୍ପ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପାରଳାଖେମୁଣ୍ଡି ମୁଖ୍ୟବଜାର ଛକଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଓ କର୍ମୀମାନେ ଅଂଶଗ୍ରହଣ କରି ଝାଡୁ ଧରି ଅଳିଆ ସଫା କରିଥିଲେ ।



ପରିଶେଷରେ କଲେଜ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସନ୍ଧ୍ୟା ୪ ଘଣ୍ଟା ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ସ୍ମୃତି ସଭା ଓ ହାଇସ୍କୁଲ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଏସ୍ ଲିଙ୍ଗରାଜ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ସୁଶ୍ରୀ କଲ୍ୟାଣି, ବସନ୍ତ ଦାସ , ପାରଳା ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପାରଳା ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ମାରୁତି ପାଳଙ୍କ ସମେତ ବହୁ ବିଜେଡି ନେତା, କର୍ମୀ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
