ସୁବର୍ଣ୍ଣପୁର: ସହରର ଢେରାପଡାଠାରେ ବସବାସ କରୁଥିବା ତେଲୁଗୁ ଦେୱାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ନିର୍ମାଣାଧୀନ ଥିବା ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ଆସନ୍ତା ୨୧ତାରିଖରେ ହେବାକୁଥିବା ହେତୁ ସେଥିପାଇଁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବୁଢିମା କ୍ଲବ ପରିସରରେ ଦିଲୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ରତ୍ନମୁଦ ଉତ୍ସବ ପାଇଁ ଅନ୍ୟୁନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ସବକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ହାତରେ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏଥିପାଇଁ ଆସନ୍ତା ୨୦ ତାରିଖରେ ସଂଧ୍ୟା ୫ ଘଣ୍ଟା ସମୟରେ ବନଯାଗରେ ବାହାରି ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ରାସ୍ତା ପାର୍ଶ୍ୱସ୍ଥ ସାହାଡ଼ା ଗଛକୁ ବରଣକରି ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଇ ଢେରାପଡାସ୍ଥିତ ପୂଜା ମଣ୍ଡପକୁ ଅଣାଯିବ । ୨୧ତାରିଖ ସକାଳ ଘ. ୬.୩୦ରେ ପବିତ୍ର ମହାନଦୀରୁ କଳସ ଶୋଭାଯାତ୍ରା ବାହାରି ପୂଜାମଣ୍ଡପଠାରେ ପହଞ୍ଚିବା ପରେ ୭.୩୦ଘଣ୍ଟାରେ ପୂଜାରମ୍ଭ କରାଯାଇ ୧୧ଘଣ୍ଟାରେ ପୁଷ୍ପାଞ୍ଜଳି ଓ ଘଣ୍ଟା୧୧.୨୫ ରେ ରତ୍ନମୁଦ ଓ ପୂର୍ଣ୍ଣାହୂତି ଦିବା ୧୨ ଘଣ୍ଟାରୁ ସାମୁହିକ ପ୍ରସାଦ ସେବନ ଆଦି ଅନୁଷ୍ଠିତ ହେବ । ପ୍ରକାଶ ଯୋଗ୍ୟଯେ ଏହି ମନ୍ଦିରର ନିର୍ମାଣରେ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ ହେଉଥିବା ଏହି ମନ୍ଦିରଟି ନୟାଗଡ଼ ଅଞ୍ଚଳର କାରିଗରମାନଙ୍କ ଦ୍ୱାରା ନିର୍ମାଣ କାମ ଚାଲିଛି । ଏହି ରତ୍ନମୁଦ କାର୍ଯ୍ୟକ୍ରମର ଆଧ୍ୟାତ୍ମିକ ପୂଜା ଓ ହୋମ ଯଜ୍ଞାନୁଷ୍ଠାନର ଆଚାର୍ଯ୍ୟ ଭାବରେ ପଶ୍ଚିମ ଓଡିଶାର ବାଗ୍ମୀ ବିଦ୍ୱାନ ମେଘନାଦ ପାଣିଗ୍ରାହୀ ରହିଥିବା ବେଳେ କର୍ତ୍ତା ଭାବରେ ରାମଚନ୍ଦ୍ର ପାତ୍ର ସସ୍ତ୍ରୀକ ଦାୟିତ୍ୱରେ ରହିଛନ୍ତି । ଆଜିର ପ୍ରସ୍ତୁତି ବୈଠକରେ ରାମକୁମାର ପାତ୍ର, ବ୍ରଜ କିଶୋରପାତ୍ର, ଗୋପାଳପାତ୍ର, ନିମନ୍ ନାରାୟଣ, ଓଟଲ ନାରାୟଣ ପାତ୍ର, ଜନ୍ମେଜୟ ପାତ୍ର, ବି.ସତ୍ୟ ନାରାୟଣ ରାଓ, ଅକ୍ଷୟ ପାତ୍ର, ଆନନ୍ଦ ପାତ୍ର, ସନ୍ତୋଷ ପାତ୍ର, ପୁରୁଷୋତ୍ତମ ପାତ୍ର, ରାଜକିଶୋର ରାଓ, ସୁରଜ ପାତ୍ର, ନନ୍ଦଲାଲ କମାଣୀ, ଗୁଣନିଧି ମେହେର,ଅଶୋକ ଭୂତ, ଅରକ୍ଷିତ ପାତ୍ର, ଭବାନିଶଙ୍କର ପାତ୍ର , ଗୋବିନ୍ଦ ପାତ୍ର, ସୁଦର୍ଶନ ପାତ୍ର ଓ ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।