ନୂଆଦିଲ୍ଲୀ,୨୨/୪: ବିଦେଶରେ ରହୁଥିବା ଭାରତୀୟମାନଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ,ବିଦେଶରେ ଭାରତୀୟମାନଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଏହି ମୃତ୍ୟୁ ମଧ୍ୟରେ ରହିଛି ଆତ୍ମହତ୍ୟା । ଗତ ୮ ବର୍ଷ ମଧ୍ୟରେ ପ୍ରାୟ ୪୦୦୦ରୁ ଅଧିକ ଲୋକେ ଆତ୍ମହତ୍ୟା କରିଛନ୍ତି । ୨୦୧୪ରୁ ବର୍ତ୍ତମାନ ଯାଏଁ ମୋଟ ୪୦୦୫ ଜଣ ବିଦେଶରେ ଆତ୍ମହତ୍ୟା କରିଛନ୍ତି । ଉପସାଗରୀୟ ଦେଶ ଗୁଡିକୁ ରୋଜଗାର ପାଇଁ ଯାଉଥିବା ଭାରତୀୟ ଅଧିକ ଆତ୍ମହତ୍ୟା କରିଥାନ୍ତି । ୟୁଏଇରେ ଆତ୍ମହତ୍ୟା ମାମଲା ସର୍ବାଧିକ । ୟୁଏଇରେ ମୋଟ ୧୧୨୨ ଜଣ ଭାରତୀୟ ଆତ୍ମହତ୍ୟା କରିଥିବା ବେଳେ ସାଉଦି ଆରବରେ ୧୦୨୪, କୁୱେତ୍ ୪୨୫, ଓମାନ ୩୫୧, ମାଲେସିଆ ୨୫୪,ବାହାରିନ ୧୮୦,କତାର ୧୬୫ ଏବଂ ସିଙ୍ଗାପୁରରେ ୧୫୯ ଜଣ ଭାରତୀୟ ଏହି ୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିବା ଅନୁସାରେ, ଏହି ଆତ୍ମହତ୍ୟାର ଅଧିକାଂଶ ଘଟଣା ପଛରେ ବ୍ୟକ୍ତିଗତ ଏବଂ ପାରିବାରିକ କାରଣ ରହିଛି । ବିଦେଶରେ କାମ କରୁଥିବା ଭାରତୀୟଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯାଉଛି । ବିଦେଶ ମନ୍ତ୍ରଣାଳୟ ଏବଂ ସରକାରଙ୍କ ମିଶନ ପୋଷ୍ଟରେ ଭାରତୀୟ ନାଗରିକଙ୍କ କଲ୍ୟାଣକୁ ଉଚିତ ପ୍ରାଥମିକତା ଦିଆଯାଉଛି । ସେମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି । ନିକଟରେ ଲୋକସଭାରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରଣ ଏହା କହିଥିଲେ ।