ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ଚାରାମୁଳା ଗ୍ରାମରେ ମାଁ ଅଗ୍ନିଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମବାସୀଙ୍କ ଦ୍ୱାରା ମାଙ୍କୁ ଆହ୍ୱାନ କରାଯାଇଥିଲା । ପରେ ମାଙ୍କ ଘଟ ଗାଁରେ ତିନିଦିନ ପରିଭ୍ରମଣ କରି ପ୍ରତ୍ୟେକ ଘରେ ପୂଜା ପାଇଥିଲେ । ଏହି ଅବସରରେ ଭକ୍ତମାନେ ନିଜ ମନସ୍କାମନାପୂର୍ଣ୍ଣ ହେବା ପାଇଁ ଅଗ୍ନିକୁଣ୍ଡରେ ଚାଲିଥିଲେ । ଶେଷ ଦିନରେ ପରମ୍ପରା ଅନୁଯାୟୀ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଯାତ୍ରା ଶେଷ ହୋଇଥିଲା । ଯାତ୍ରାରେ ରାଜ୍ୟ ତଥା ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ପାଣି ପଣାର ବ୍ୟବସ୍ଥା କରାଯାଇଥିଲା । ଯାତ୍ରାରେ ପରିଚାଳନାରେ ପି. ଧରାଣୀଧର, ଜି. କୃଷ୍ଣା, ଏମ. ଲଛମୀ ନାଇଡୁ, ଜି. ବାସୁଦେବ, ପି. କିଶୋର, ପି. ଭାସ୍କର ରାଓ, ପି. ନାଗେଶ୍ୱର ରାଓ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଅନେକ ବର୍ଷ ପୂର୍ବରୁ ନିଲାବାଡିରୁ ମାଁ ଅଗ୍ନିଗଙ୍ଗାମ୍ମାଙ୍କୁ ଆଣି ଚରାମୁଳା ଗ୍ରାମରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେହିଦିନ ଠାରୁ ପ୍ରତି ତିନି ବର୍ଷକୁ ଥରେ ଗ୍ରାମର ସୁଖସମୃଦ୍ଧି ପାଇଁ ଏଠାରେ ଠାକୁରାଣୀ ଯାତ୍ରାର ଆୟୋଜନ କରାଯାଇଥାଏ ।