ଦାଦନ ଖଟିଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର, ଥାନାର ଦ୍ୱାରସ୍ଥ ହେଲେ ମାଆ

0 902

ଦଶପଲ୍ଲା : ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ରାଜସ୍ଥାନ କାମ କରିବାକୁ ଯାଇଥିବା ପୁଅର କୌଣସି ସନ୍ଧାନ ପାଉ ନାହାନ୍ତି ପରିବାର । ସାଥୀ ହୋଇ ଯାଇଥିବା ସହଯୋଗୀ ମୃତ୍ୟୁ ସୂଚନା ଦେବା ପରେ ତାଙ୍କ ଫୋନ୍‌ ବନ୍ଦ ରହିଛି । ଏଥି ନେଇ ପରିବାରରେ କାନ୍ଦ ବୋବାଳି ପଡ଼ିବା ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅଧୀନସ୍ଥ ତୁମାଣ୍ଡି ଗ୍ରାମରେ । ଅଭିଯୋଗ ଅନୁଯାୟୀ, ଗ୍ରାମର ରବି ବେହେରା ପରିବାର ଲୋକଙ୍କ ଅଜ୍ଞାତରେ ଗତ ୧୫ ତାରିଖ ଦିନ ଶିବ ନାୟକଙ୍କ ପୁଅ ସୁମନ୍ତ (୩୦) ଙ୍କୁ ରାଜସ୍ଥାନ କାମ କରିବା ପାଇଁ ନେଇଛନ୍ତି । ପୁଅକୁ ଖୋଜାଖୋଜି କରିବା ସମୟରେ ରବିଙ୍କ ପତ୍ନୀ ଶାରଦା ତାଙ୍କ ସ୍ୱାମୀଙ୍କ ସହିତ ସୁମନ୍ତ କାମ କରିବାକୁ ରାଜସ୍ଥାନ ଯାଇଥିବା କହିଥିଲେ । ପୁଅ ସହିତ କଥା କରାଇବା ପାଇଁ ପରିବାର ଲୋକ କହିଥିଲେ । ହେଲେ କୌଣସି କଥା ନ କରାଇ ଗତ ୧୭ ତାରିଖ ଦିନ ରାତିରେ ଶାରଦା ହଠାତ୍‌ ଆସି ସୁମନ୍ତଙ୍କ ମୃତ୍ୟୁ ହୋଇଥିବା କଥା କହିଥିଲେ । ଯାହାକୁ ନେଇ ଘରେ କାନ୍ଦ ବୋବାଳି ପଡ଼ିବା ସହ ରବିଙ୍କ ସହ କଥା କରାଇ ଦେବାକୁ ପରିବାର ଲୋକ କହିଥିଲେ । ହେଲେ ସେ ଦେଇଥିବା ଫୋନ୍‌ ନମ୍ବରଟି ବନ୍ଦ ରହିଥିବାରୁ ପରିବାର ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ପ୍ରକାଶ ପାଇଛି । ପୁଣି ପୁଅର କିଛି ହୋଇନି ସେ ଗତକାଲି ଘରକୁ ଆସିବ ବୋଲି କହିଥିଲେ । ହେଲେ ଏଯାଏଁ ପୁଅର କୌଣସି ସନ୍ଧାନ ମିଳୁନଥିବାରୁ ସୁମନ୍ତଙ୍କ ମା ’ ରାତ୍ର ନାୟକ ଗତକାଲି ଦଶପଲ୍ଲା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛି । ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ , କାମ ନ ପାଇ ଓଡ଼ିଶାରୁ ଦାଦନମୁହାଁ ହେଉଥିବା ଅନେକ ଶ୍ରମିକଙ୍କ ମୃତ୍ୟୁ ହେଉଛି । ପ୍ରକାଶ ଥାଉକି, ଗତମାସରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବାବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × three =