ସମ୍ବଲପୁର : ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପେଟ୍ରୋଲ ଓ ଡିଜେଲ ଦରହ୍ରାସ ପାଇଁ ଉତ୍ପାଦନ ଶୁଳ୍କରେ କ୍ରମଶଃ ୯.୫୦ ଟଙ୍କା ଓ ୭ ଟଙ୍କା ତଥା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ରୂପେ ହ୍ରାସ କରାଯାଇଛି । ଏଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ ପକ୍ଷରୁ ଭାଟ ଦର ହ୍ରାସ କରିବା ପାଇଁ ଆଗେଇ ଆସନ୍ତୁ । ସମ୍ବଲପୁର ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ପରି ଅନୁରୋଧ କରିଛନ୍ତି । ସେତେବେଳେ ତାଙ୍କ ସହିତ ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ରାମଚନ୍ଦ୍ର ମେହେର ଓ ଦେବେନ୍ଦ୍ର ଶତପଥୀ ଆଦି ମଞ୍ଚାସୀନ ରହି ସହଯୋଗ କରିଥିଲେ । ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରହ୍ରାସ ପାଇଁ ଏହାର ଉତ୍ପାଦନ ଶୁଳ୍କ କମ କରାଯାଇଛି, କିନ୍ତୁ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ସଦା ସର୍ବଦା ଆଲୋଚନା କରୁଥିବା ରାଜ୍ୟ ସରକାର ଏହି ଦିଗରେ ଏପର୍ଯ୍ୟନ୍ତ ନିଜ ପକ୍ଷରୁ ଭାଟ ଦର କମ କରି ନାହାନ୍ତି । ଏଣୁ ରାଜ୍ୟବାସୀଙ୍କ ହିତ ସାଧନ ପାଇଁ ଏଥର ଭାଟ ହ୍ରାସ କରି ନିଜ ବଦାନ୍ୟତାର ପରିଚୟ ଦିଅନ୍ତୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି ।