ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୬୯ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୫୮ଗୋଟି ଓ ସାମୁହିକ ଦରଖାସ୍ତ୧୧ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ୨୬୯ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୪୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୨ ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଉଲୁଣ୍ଡା ବିଡିଓ ହେମସାଗର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ,ଡି.ଆର.ଡି.ଏ ଡୋଳାମଣି ପଟେଲ,ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ ଭୋଇ, ବ୍ଲକ ଅଧ୍ୟକ୍ଷା ଉଲୁଣ୍ଡା ଶାନ୍ତିଲତା ମିଶ୍ର ,ବ୍ଲକ ଉପାଧକ୍ଷ – ସଂଜୀବ ଦେହୁରୀ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାର ହସ୍ତତନ୍ତ ବସ୍ତ୍ରର ଚାହିଦାକୁ ବୃଦ୍ଧି ସହ ସୁଦୂର ପ୍ରସାରି କରିବା ତଥା ଜିଲ୍ଲାରେ ଥିବା ବୁଣାକାର ଗୋଷ୍ଠୀଙ୍କ ଆର୍ଥିକ ଉନ୍ନତିରେ ସୁଧାର ଆଣିବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନର ନିଷ୍ପତ୍ତି କ୍ରମେ ଅଦ୍ୟ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗଦାନ କରିଥିବା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ଏଣୁ ଏଣିକି ଜିଲ୍ଲାରେ ହେବାକୁ ଥିବା ପ୍ରତ୍ୟେକ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଅଧିକାରୀ ତଥା କର୍ମଚାରୀ ବୃନ୍ଦ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଇଛି ।