ଜାକର୍ତ୍ତା: ଭାରତୀୟ ହକି ଦଳ ତା’ର ଏସିଆ କପ୍ ଅଭିଯାନ ଡ୍ରରୁ ଆରମ୍ଭ କରିଛି । ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ପୂରା ମ୍ୟାଚ୍ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍ରେ ୧-୦ରେ ଆଗରେ ଥିଲେ । ହେଲେ ଶେଷ ମିନିଟ୍ରେ ପାକିସ୍ତାନ ଗୋଟିଏ ଗୋଲ ସ୍କୋର କରିବାରୁ ମ୍ୟାଚ୍ ଡ୍ର ହୋଇଯାଇଛି । ଜାକର୍ତ୍ତାରେ ଖେଳାଯାଉଥିବା ଏସିଆ କପ ଭାରତ ଓଡିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଛି । ଆଜି ପ୍ରଥମ ମ୍ୟାଚ୍ରେ ବୀରେନ୍ଦ୍ର ଆଣ୍ଡ କୋ ଦମଦାର ଆରମ୍ଭ କରିଥିଲେ । ଭାରତ ପକ୍ଷରୁ ୨୦ ବର୍ଷୀୟ ଡେବ୍ୟୁଟାଣ୍ଟ କାର୍ତ୍ତି ସେଲଭମ ପ୍ରଥମ କ୍ୱାର୍ଟର୍ରେ ହିଁ ଗୋଲ ସ୍କୋର କରିଥିଲେ । ସେଲଭମ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ । ପ୍ରଥମ କ୍ୱାର୍ଟର ସରିବାକୁ ୬ ମିନିଟ୍ ବାକି ଥିବା ବେଳେ ହିଁ ଭାରତ ଗୋଲ ସ୍କୋର କରି ମ୍ୟାଚ୍ରେ ଆଗୁଆ ହୋଇ ଯାଇଥିଲା । ଏହାପରେ ପାକିସ୍ତାନ ଅଧିନାୟକ ଉମର ଭାଟ୍ଟି ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଲାଇନ ତାଙ୍କର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲା । ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍ରେ ଉଭୟ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ କରିଥିଲେ । ହେଲେ କେହି କାହାକୁ ଗୋଲ ଦେବାରେ ସଫଳ ହୋଇ ନଥିଲେ । ୪ର୍ଥ କ୍ୱାର୍ଟର ଆରମ୍ଭ ବେଳେ ଭାରତ ୧-୦ରେ ଆଗୁଆ ଥିଲା । ଏହି କ୍ୱାର୍ଟର୍ରେ ଭାରତୀୟ ଖେଳାଳିମାନେ ପାକିସ୍ତାନକୁ ଶେଷ ଯାଏ ଅଟକାଇ ରଖିଥିଲେ । କିନ୍ତୁ ଉମର ଭାଟ୍ଟି ଆଣ୍ଡ କୋ ହାର ମାନିବା ମୁଡରେ ନଥିଲେ । ମ୍ୟାଚ୍ ଶେଷ ହେବାକୁ ୩ ମିନିଟ୍ ବାକି ଥିବା ବେଳେ ପାକିସ୍ତାନକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଏହାକୁ ଅବଦୁଲ ରାଣା ବେଶ ଚମତ୍କାର ଢଙ୍ଗରେ ଭାରତୀୟ ଗୋଲ ପୋଷ୍ଟ ମାରି ଦେଇଥିଲେ । ଫଳରେ ଭାରତ ଏକ ନିଶ୍ଚିତ ବିଜୟ ମ୍ୟାଚ୍କୁ ଡ୍ରରେ ଶେଷ କରିବାକୁ ବାଧ୍ୟ ହୋଇଥିଲା ।