ପାଟଣାଗଡ଼: ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ମିନିଟ୍ରକକୁ ପାଟଣାଗଡ ପୁଲିସ ଅଟକ ରଖିଛି । ମିନିଟ୍ରକ୍ ଓଆର୍-୦୨କ୍ୟୁ-୯୯୧୫ରେ ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍ ଯୋଗୀମୁଣ୍ଡା ସ୍ଥିତ ଆର୍ଏମ୍ସିରୁ ଛୋଟ ଛୋଟ ପିଲାମାନଙ୍କ ଖାଦ୍ୟ ପାଇଁ ଖପ୍ରାଖୋଲ ବ୍ଲକ୍ ନିମନ୍ତେ ଚାଉଳ ଉଠାଯାଇ ସେହି ଅଞ୍ଚଳକୁ ଯାଉଥିବା ସରକାରୀ କାଗଜ ପତ୍ରରେ ଦର୍ଶାଯାଇଥିଲା । କିନ୍ତୁ ସମ୍ପୃକ୍ତ ଠିକାଦାର ତୋଫାନ ମେହେର ଖପ୍ରାଖୋଲକୁ ଏହି ଚାଉଳ ଗାଡି ନନେଇ ପାଟଣାଗଡ଼ ପଟକୁ ଆଣୁଥିବାର ଖବରପାଇ ପୁଲିସ ବର୍ଥଲା ଛକରେ ପିକ୍ଅପ୍କୁ ଅଟକାଇ ଆବଶ୍ୟକ କାଗଜ ପତ୍ର ମାଗିଥିଲେ । ପରେ ସନ୍ଦେହ ହେବାରୁ ପୁଲିସ ଉକ୍ତ ଚାଉଳ ବୋଝେଇ ଗାଡିକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଠିକାଦାର ତୋଫାନ ମେହେରଙ୍କୁ ଥାନା ଆସିବାକୁ ପୁଲିସ ପକ୍ଷରୁ କୁହାଯାଇଥିଲେ । କିନ୍ତୁ ତିନି ଦିନ ବିତିଯାଇଥିଲେ ମଧ୍ୟ ସେ ଆସୁନଥିବା ବେଳେ ଏନେଇ କେଶ୍ ରୁଜୁ ହୋଇନଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦିଆଯାଇଛି ।