ସାଂଘାତିକ ଅଭିଯୋଗ: ୱାରେଣ୍ଟ ଜଣକ ନାଁରେ,ଗିରଫ କରାଯାଇଛି ଅନ୍ୟ ଜଣକୁ

0 153

ଘୁ.ଉଦୟଗିରି, ଜଣକ ନାମରେ ୱାରେଣ୍ଟ,କିନ୍ତୁ ଗିରଫ କରାଯାଇଛି ଅନ୍ୟ ଜଣଙ୍କୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସ୍ଥାନୀୟ ପୋଲିସ ବିରୁଦ୍ଧରେ । ଏହି ଥାନା ଅନ୍ତର୍ଗତ ଗଦଗୁଡା ପଞ୍ଚାୟତର ରୁଦାଙ୍ଗିଆ ନିକଟ ଲେବଗୁଡା ଗାଁର ପ୍ରଭୁରଶ୍ମି ପ୍ରଧାନଙ୍କୁ ପୁରୁଣା ୱାରେଣ୍ଟ ବଳରେ ୨୮ତାରିଖରେ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ରୁଦାଙ୍ଗିଆ ଗ୍ରାମବାସୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । କାରଣ ୱାରେଣ୍ଟଟି ବାନ୍ଦାଗୁଡା ଗ୍ରାମର ସଂଜୀବ ପ୍ରଧାନ ନାଁରେ ଅଛ,କିନ୍ତୁ ଗିିରଫ କରାଯାଇଛି ପ୍ରଭୁରଶ୍ମିଙ୍କୁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଆଜି ଏହି ଅଞ୍ଚଳର ବହୁ ପୁରୁଷ ଓ ମହିଳା ସ୍ଥାନୀୟ ଥାନାରେ ପହଁଚି ଆଇଆଇସି ରେବତୀ ଶବରଙ୍କ ସହ ସାକ୍ଷାତ କରି ଏହି ଘଟଣାରେ ନିଜ ନିଜ ଅସନ୍ତୋଷ ଜାହିର କରିବା ସହ ପୋଲିସର ଏହିଭଳି ଅମାନବୀୟ କାର୍ଯ୍ୟର ପ୍ରତିବାଦ କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ,ଗଦଗୁଡା ସରପଞ୍ଚ ପୁଷ୍ପଲତା ପ୍ରଧାନ,ଟିକାବାଲି ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଦାବି କରିବା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପ୍ରଭୁରଶ୍ମିଙ୍କ ୮୦ବର୍ଷର ଭିନ୍ନକ୍ଷମ ବୟୋବୃଦ୍ଧ ନିଜ ପୁଅ ପାଇଁ ନ୍ୟାୟ ଭିକ୍ଷା କରିବା ନିମନ୍ତେ ୮କିମି ଦୂରରୁ ସ୍ଥାନୀୟ ଥାନାରେ ପହଁଚି କାନ୍ଦି କାଦି ନ୍ୟାୟ ଭିକ୍ଷା କରୁଛନ୍ତି । ସେଇଭଳି ପ୍ରଭୁରଶ୍ମିଙ୍କ ସ୍ତ୍ରୀ କମଳା ନିଜ ପ୍ରତିକ୍ରିୟାରେ କହିଛନ୍ତି,୨୮ତାରିଖ ସକାଳ ୮ଟାରେ ପୋଲିସ ଘରେ ପହଂଚି ପ୍ରଭୁରଶ୍ମିଙ୍କୁ ଜୋରଜବରଦସ୍ତ ଥାନାକୁ ନେଇଆସିଥିଲେ । କେତେ କହିବା ପରେ ମଧ୍ୟ କିଛି ଶୁଣିନଥିଲେ । ସେହି ଗ୍ରାମର ଗ୍ରାମରକ୍ଷୀ କହିଛନ୍ତି, ମୁଁ ମଧ୍ୟ ମନାକଲି, ଆପଣ ଯାହାକୁ ଖୋଜୁଛନ୍ତି,ସେ ସେହି ପିଲା ନୁହଁ । ମୋ କଥା କିନ୍ତୁ ଶୁଣିଲେନି । ତାକୁ ଗିରଫ କରି କୋର୍ଟ ଚାଲାଣ କରିଦେଲେ । ୨୦୦୮ ମସିହାର ପୁରୁଣା ୱାରେଣ୍ଟ । ତା’ର କାଗଜପତ୍ର ଯାଞ୍ଚ କରିବା କଥା । ପ୍ରକୃତରେ ଯେଉଁ ନାମରେ ୱାରେଣ୍ଟ ଆସିଛି, ସେଇ ବ୍ୟକ୍ତି ଇଏ କି ନୁହଁ । କୌଣସି ତଦନ୍ତ ନ କରି ବେପରୁଆ ଭାବେ ଜଣେ ନିରୀହ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦୋଷୀ ସଜେଇ ଜେଲକୁ ପଠେଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରୁଛନ୍ତି ଗ୍ରାମବାସୀ । ପୋଲିସ ଆଇଆଇସି ରେବତୀ ଶବର କହିଛନ୍ତି,ଆମେ ବିଶ୍ୱସ୍ତ ସୂତ୍ରରୁ ପକ୍କା ଖବର ପାଇ ପ୍ରଭୁରଶ୍ମିକୁ ଗିରଫ କରିଛୁ । ଆମେ ଯାହା କରିଛୁ ଠିକ କରିଛୁ । ଆମ ପକ୍ଷରୁ କିଛି ଭୁଲ ହୋଇନି । ପୋଲିସ ୨୦୦୮ ମସିହାର ଜିଆର କେଶ ନଂ୩୫୬(ଏଫ୍‌) ଧାରା୧୪୭, ୧୪୮, ୪୩୬, ୪୨୭, ୩୪୧, ୩୨୩, ୩୨୪, ୩୨୫,୩୨୬, ୩୦୨, ୩୭୯,୩୦୭,୧୨୦ବି/୧୪୯ବଳରେ ପ୍ରଭୁରଶ୍ମି ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୱାରେଣ୍ଟଟି ସଞ୍ଜୀବ ପ୍ରଧାନଙ୍କ ନାମରେ ରହିଥିବା ବେଳେ ପ୍ରଭୁରଶ୍ମି ପ୍ରଧାନ ଓରଫ ସଂଜୀବ ପ୍ରଧାନ ଲେଖି ପ୍ରଭୁରଶ୍ମିଙ୍କୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ପୋଲିସ ଭୁଲ ଲୋକକୁ ଧରିଛି ନା ଠିକ ଲୋକକୁ ଧରିଛି, ତଦନ୍ତ ପରେ ସ୍ପଷ୍ଟ ହେବ ।

hiranchal ad1
Leave A Reply

Your email address will not be published.

fourteen − seven =