ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ୧୭ ତାରିଖରେ ଶେଷ ହୋଇଛି ଏବଂ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ପାଇଁ ଘୋଷିତ ନୂଆ ଗାଇଡଲାଇନରେ ଷ୍ଟାଡ଼ିୟମ ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଷ୍ଟାଡ଼ିୟମ ଭିତରକୁ ଦର୍ଶକଙ୍କୁ ଯିବା ଲାଗି ବାରଣ କରାଯାଇଛି । ସରକାରଙ୍କ ଏଭଳି ଅନୁମତି ପରେ ଖେଳ କାର୍ଯ୍ୟକ୍ରମ ବିଶେଷ କରି ଆଇପିଏଲ୍ ଆରମ୍ଭ ହେବା ନେଇ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସଂପୂର୍ଣ୍ଣ ଭିନ୍ନ ମତ ରଖିଛି । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୂମାଲ୍ ସୋମବାର କହିଛନ୍ତି ଯେ, ଖେଳ କାର୍ଯ୍ୟକ୍ରମ ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ଆଇପିଏଲ୍ ନିକଟ ଭବିଷ୍ୟତରେ ଖେଳାଯିବାର ସମ୍ଭାବନା ନାହିଁ । ଏ ନେଇ ବିସିସିଆଇର କୌଣସି ଯୋଜନା ବି ନାହିଁ । ଚଳିତ ବର୍ଷ ଆଇପିଏଲ୍ ଆୟୋଜନ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ । ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଓ ଡୋମେଷ୍ଟିକ୍ କାର୍ଯ୍ୟକ୍ରମ ତଥା ଗସ୍ତ ଉପରୁ କଟକଣା ନହିଟିଛି, ସେ ପର୍ଯ୍ୟନ୍ତ ଆଇପିଏଲ୍ କିମ୍ବା ସେହିଭଳି କ୍ରିକେଟ୍ କାର୍ଯ୍ୟକ୍ରମ ହୋଇପାରିବ ନାହିଂଁ । ବର୍ତ୍ତମାନ ସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସମ୍ଭବ ନୁହେଁ । କାରଣ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଜାରି ରହିଛି । ତେଣୁ ଖେଳାଳିମାନେ ଆସିପାରିବେ ନାହିଁ । ଆଇପିଏଲ୍ରେ ବିଦେଶୀ ଖେଳାଳିମାନେ ଭାଗ ନେଉଥିବାରୁ ବିମାନ ସେବା ଉପରୁ କଟକଣା ପ୍ରତ୍ୟାହାର କରାଯିବାର ଆବଶ୍ୟକତା ଅଛି । ଆମେ ବର୍ତ୍ତମାନ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନ୍କୁ ଅନୁଧ୍ୟାନ କରୁଛୁ । ତଦନୁସାରେ ଆମେ ପରବର୍ତ୍ତୀ ଯୋଜନା ତିଆରି କରିବୁ ବୋଲି ଧୂମାଲ୍ କହିଛନ୍ତି ।