ପୁରୀ :ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର ଦୁଇଜଣ କର୍ମଚାରୀ ୪ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ କୁରୁଜଙ୍ଗ ସେକ୍ସନରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିନଥିବା ସୂଚନା ମିଳିଛି । ସେଠାରେ ଜଙ୍ଗଲ ସୁରକ୍ଷା କମିଟି ଓ ବନବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖୁଥିବା ସୂଚନା ମିଳିଛି । କୁରୁଜଙ୍ଗ ସେକ୍ସନରେ ଗତକାଲି ରାତି ୧୦ଟା ସୁଦ୍ଧା ୭ ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ରାମଚଣ୍ଡୀ ଅଞ୍ଚଳରେ ପୋଡିଥିବା ଜଙ୍ଗଲ ରାଜସ୍ୱ ବିଭାଗ ଅଧୀନରେ ଥିବା ରେଞ୍ଜ ଅଫିସର ବେଣୁଧର ବେହେରା କହିଛନ୍ତି । ପ୍ରତିବର୍ଷ ଜଙ୍ଗଲରୁ କାଜୁ ସଂଗ୍ରହ ପରେ ପରେ ଜଙ୍ଗଲରେ ନିଆଁ ଲାଗିଯାଉଥିବା ପରିଲକ୍ଷିତ ହେଉଛି । କାଠମାଫିଆଙ୍କ ସହିତ ଜଙ୍ଗଲ ସୁରକ୍ଷା କମିଟି ଓ ବନବିଭାଗର ଭିତିରି ସଂପର୍କ ଏପରି ନିଆଁ ଲାଗିବାର ପ୍ରମୁଖ କାରଣ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।