ନୂଆଦିଲ୍ଲୀ : ବର୍ତ୍ତମାନ ପୀଢ଼ୀର କ୍ରିକେଟରମାନଙ୍କ ମଧ୍ୟରେ ଭାରତୀୟ ସ୍କିପର ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ତାଙ୍କର ସମୟୋପଯୋଗୀ ସର୍ଟଏବଂ ଅବିଶ୍ୱସନୀୟ ଫିଟ୍ନେସ୍ ତାଙ୍କୁ ଏଭଳି ଶ୍ରେଷ୍ଠତ୍ୱ ପ୍ରଦାନ କରିଛି । କୋହଲିଙ୍କ ସଂପର୍କରେ ଏଭଳି ସକରାତ୍ମକ ମତ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ୟାନ୍ ଚାପେଲ୍ । ଏକ ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାପେଲ୍ କହିଛନ୍ତି ଯେ, କ୍ରିକେଟର ତିନୋଟିଯାକ ଫର୍ମାଟରେ ଯେଉଁ କେତେଜଣ ଶ୍ରେଷ୍ଠ ଓ ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍ ବୋଲି କୁହାଯାଏ, ସେମାନଙ୍କ ମଧ୍ୟରୁ ଷ୍ଟିଭ୍ ସ୍ମିଥ୍, କେନ୍ ୱିଲିୟମସନ୍, ଜେ ରୁଟ୍ ଅନ୍ତର୍ଭୁକ୍ତ । ଏହି ତାଲିକାରେ କୋହଲି ରହିଛନ୍ତି । ତିନୋଟିଯାକ ଫର୍ମାଟରେ କୋହଲି ବର୍ତ୍ତମାନ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲି କୁହାଯାଇପାରେ । ତାଙ୍କର ଫିଟନେସ୍ ତାଙ୍କୁ ଦୀର୍ଘ ସମୟ ଧରି ଖେଳିବା ଲାଗି ସାହାଯ୍ୟ କରିଆସିଛି । ସେହିପରି, ତିନୋଟିଯାକ ଫର୍ମାଟରେ ତାଙ୍କର ରେକର୍ଡ଼ ମଧ୍ୟ ଅବିଶ୍ୱସନୀୟ । ବିଶେଷ କରି ସଂକ୍ଷିପ୍ତ ଫର୍ମାଟରେ ତାଙ୍କର ରେକର୍ଡ଼ ଆଶ୍ଚର୍ଯ୍ୟଜନକ । ନିକଟରେ ଇଂଲଣ୍ଡର କେଭିନ୍ ପିଟରସନ ସ୍ମିଥ୍ଙ୍କ ସଂପର୍କରେ ଏକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ସ୍ମିଥ୍ଙ୍କୁ ବର୍ତ୍ତମାନ ସମୟରେ କୋହଲିଙ୍କ ନିକଟବର୍ତ୍ତୀ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ତୁଳନା କରାଯାଇ ନପାରେ । ପିଟରସନଙ୍କ ଏଭଳି ମତ ଉପରେ ପ୍ରତିକ୍ରିୟା ରଖି ଚାପେଲ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।