ଦଶପଲ୍ଲା : ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ହୋଇ ଆଜି ଗଣିଆଁ ବ୍ଲକ୍ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି । ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଉପରୋକ୍ତ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଲଗାଇ ବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା । ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇ ଥିବାରୁ ସମସ୍ତେ ଉପସ୍ଥିତ ଥିଲେ ।
ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ର, ସରପଞ୍ଚ ସୁଭାଷିନୀ ବାରିକ, ଶିକ୍ଷା ଅଧିକାରୀ ପ୍ରଣତୀ ପଟ୍ଟନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା, ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ଶିକ୍ଷକ ବାମନ ଚରଣ ବାରିକ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ସହ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ କ୍ଲାସ ରୁମ ଭିତରେ ଚକୋଲେଟ ଏବଂ ଛୋଟ ଫୁଲ ତୋଡ଼ା ଦେଇଥିଲେ ଏବଂ ଅତିଥିମାନେ କିଛି କିଛି ବକ୍ତବ୍ୟ ରଖୁଥିଲେ । ଶେଷରେ ଛାତ୍ରୀମାନଙ୍କ ମଧ୍ୟରୁ ଆୟୁଷି ତନୟା ସାହୁ ଅତିଥି ମାନଙ୍କ ପରିଚୟ ଦେଇ କିଛି ବକ୍ତବ୍ୟ ରଖିଥିଲେ । ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।