ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଠିଡିକାଜୋର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁ ଏବେ ଚାରିଛକ ସ୍ଥିତ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ହୋଇଛନ୍ତି । ସେହିପରି ହରଭଙ୍ଗା ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଚତୃର୍ଦ୍ଧାମୂର୍ତ୍ତି ମତ୍ସ୍ୟ ଓ କଚ୍ଛପ ବେଶରେ ଦର୍ଶନ ଦେଉଛନ୍ତି । ଏହି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ ବେଶରେ ଦର୍ଶନ ଦେବେ । ତେବେ ଏହି କ୍ରମରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ମତ୍ସ୍ୟ ଓ କଚ୍ଛପ ବେଶରେ ଦର୍ଶନ ଦେଇଛନ୍ତି । ଅନ୍ୟପଟେ ପ୍ରଭୁଙ୍କ ନିକଟରେ ଲାଗି ହେବା ନିମନ୍ତେ ଅବଢ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହା ଭକ୍ତମାନଙ୍କୁ ପ୍ରଦାନ କରାଯାଇଛି । ପ୍ରତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ସୁବର୍ଣ୍ଣପୁରରୁ ଆସିଥିବା ରୁମକୁ ଝୁମାନ ଟିମ ଭଜନ ପରିବେଷଣ କରିଥିବା ବେଳେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ ଓ ସ୍ଥାନୀୟ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର ଟିମକୁ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସେହିଭଳି ଦ୍ୱିତୀୟ ଦିବସରେ ସୋର୍ଣ୍ଣଶିଖା ଟିମ ଭଜନ ପରିବେଷଣ କରିଥିବା ବେଳେ ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରି ଓ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ଚାରିଛକ ବଜାର କମିଟି ସଭାପତି ଦିଲ୍ଲୀପ ସାହୁ ଓ ସଭ୍ୟ ସନ୍ତୋଷ କୁମାର ନାଗ ଟିମକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆଜି ତୃତୀୟ ଦିନରେ ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ ଆସିଥିବା ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା ଟିମ ପକ୍ଷରୁ ଭଜନ ପରିବେଷଣ କରାଯାଇଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ସୁନାମଧନ୍ୟ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜ ପ୍ରବଚନ କାର୍ଯ୍ୟକ୍ରମ ରହିଛି ।