ନୂଆଦିଲ୍ଲୀ: ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ । ଆଜି ଏଜେନ୍ସି ପକ୍ଷରୁ ସାନି ସମନ ଜାରି କରାଯାଇ ଜୁଲାଇ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହାପୂର୍ବରୁ ଯେତେବେଳେ ଇଡି ସମନ ଜାରି କରିଥିଲା,ସେତେବେଳେ ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇଡିରେ ହାଜ ହୋଇନଥିଲେ । ଏହା ସହ ଏଜେନ୍ସିକୁ କିଛି ସମୟ ମାଗିଥିଲେ । ସୋନିଆ ଗାନ୍ଧୀଙ୍କ ଅନୁରୋଧକୁ ଗ୍ରହଣ କରି ଇଡି ପଚରାଉଚରାର ତାରିଖ ଜୁଲାଇର ଶେଷ ସପ୍ତାହକୁ ବୃଦ୍ଧି କରିବ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ,ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଇଥିଲେ । ଜୁନ୍ ୨ରେ ସେ କୋଭିଡ୍-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିବାର କିଛି ଦିନ ପରେ ଜୁନ୍ ୧୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶ୍ୱାସକ୍ରିୟା ନଳୀରେ ସଂକ୍ରମଣ ଥିବା ମଧ୍ୟ ଚିହ୍ନଟ କରାଯାଇଥିଲା । ତେବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ଆସି ଘରେ ବିଶ୍ରାମ ନେବାକୁ ସୋନିଆଙ୍କୁ ପରାମର୍ଶ ଦିଆଯାଇଥିଲା ।