ଅହମ୍ମଦାବାଦ : ଦେଶରେ ଦିଲ୍ଲୀ, ୟୁପି, ହରିୟାଣା ଭଳି ରାଜ୍ୟରେ ଲୋକମାନେ ଗରମରୁ ମୁକ୍ତି ପାଇବା ପାଇଁ ମୌସୁମୀ ବର୍ଷା ଅପେକ୍ଷା କରିଛନ୍ତି । ଅନ୍ୟ ପଟେ ଗୁଜୁରାଟ, ମହାରାଷ୍ଟ୍ର ଭଳି ଦେଶର ପଶ୍ଚିମ ରାଜ୍ୟରେ ଜଳବନ୍ଦୀ ହେତୁ ଅବସ୍ଥା ଆହୁରି ବିଗିଡି ଯାଇଛି । ଗୁଜୁରାଟରେ ସବୁଠାରୁ ଖରାପ ଅବସ୍ଥା । ରାଜ୍ୟର ନାଭସାରୀ, ଡାଙ୍ଗ, ଅହମ୍ମଦାବାଦ, ତାପି, ନର୍ମଦା ଭଳି ଜିଲ୍ଲାରେ ପରିସ୍ଥିତି ଅନିୟନ୍ତ୍ରିତ । ବନ୍ୟା ପରି ପରିସ୍ଥିତି ଯୋଗୁଁ ନାଭସାରୀକୁ ସୁରଟ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଦ ରହିଛି । ଏହା ବ୍ୟତୀତ ଅହମ୍ମଦାବାଦରେ ରାସ୍ତାଗୁଡ଼ିକ ପାଣିରେ ପରିପୂର୍ଣ୍ଣ ଏବଂ ମୁଖ୍ୟ ରାସ୍ତାରେ କାରଗୁଡିକ ଅଟକି ରହିଛି । କେତେକ ସ୍ଥାନରେ ଡାକ୍ତରଖାନାଗୁଡ଼ିକ ପାଣିରେ ପରିପୂର୍ଣ୍ଣ ହୋଇଥିବା ଆଉ କେତେକ ସ୍ଥାନରେ କଲୋନୀ ଗୁଡିକରେ ପାର୍କିଂ ଅବସ୍ଥାରେ ଯାନଗୁଡିକ ଭାସମାନ ସ୍ଥିତିରେ ରହିଛି ।
ଗତ ଗୋଟିଏ ଦିନରେ ଗୁଜୁରାଟରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୌସୁମୀ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ସମୁଦାୟ ୬୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି, “ଗତ ଗୋଟିଏ ଦିନରେ ବର୍ଷା ଜନିତ ଘଟଣା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଜୁନ୍ ୧ ରୁ ବଜ୍ରପାତ, କାନ୍ଥ ଭୁଶୁଡ଼ିବା କିମ୍ବା ବୁଡ଼ିଯିବା ଭଳି ଘଟଣା ଯୋଗୁଁ ୬୩ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ୯,୦୦୦ ଲୋକଙ୍କୁ ରାଜ୍ୟର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି ।
ରବିବାର ରାତିରୁ ଅହମ୍ମଦାବାଦରେ ସମସ୍ୟା ବୃଦ୍ଧି ପାଇଛି । ଗୋଟିଏ ରାତିରେ ସହରରେ ୨୧୯ ମିଲିମିଟର ବର୍ଷା ହୋଇଛି ଏବଂ ଏହି କାରଣରୁ ଆବାସିକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ଦିନ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିଥିଲା, ଆଜି ବି ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି । ଦକ୍ଷିଣ ଗୁଜରାଟ ଜିଲ୍ଲାରେ ଡାଙ୍ଗ, ନାଭସାରି, ତାପି, ଭାଲସାଦରେ ପ୍ରବଳ ବର୍ଷା ଜାରି ରହିଛି ଏବଂ ପରିସ୍ଥିତି ବିଗିଡିବାରେ ଲାଗିଛି । ଏହା ବ୍ୟତୀତ ପଞ୍ଚମହଲ, ଛୋଟା ଉଦୟପୁର ଏବଂ କେନ୍ଦ୍ରୀୟ ଗୁଜୁରାଟର ଖେଡାଠାରେ ମଧ୍ୟ ସଙ୍କଟ ଗଭୀର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ସିଏମ ଭୁପେନ୍ଦ୍ର ପଟେଲଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।