ସମ୍ବଲପୁର:ସମଗ୍ର ଓଡ଼ିଶାରେ ଓ ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ନକଲି ନୋଟର କାରବାର ଧରାପଡୁଛି ଓ ଏହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ନୂଆ ଅଢାପଡାରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ନୋଟ ଜବତ କରିବା ସହ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଏବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ନୂଆ ଅଢାପଡା ଗାଁରେ ସଞ୍ଚାରିତ ଜନସୁବିଧା କେନ୍ଦ୍ରରେ ଏଭଳି ବେଆଇନ ଓ ଅନୈତିକ କାରବାର ଚାଲିଥିବା ଖବର ପାଇ ସେଠାରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ଘଟଣା ସ୍ଥଳରୁ ୧୫ଲକ୍ଷ ୧୨ ହଜାର ୫୦୦ ଟଙ୍କା ମୂଲ୍ୟର ନକଲି ନୋଟ ଜବତ କରିବା ସହ ଏହି କାରବାରରେ ସାମିଲ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁହିଁଙ୍କୁ ପପୁ ଓରଅଫ୍ ପୋଦ୍ଦାର ପ୍ରସାଦ ସାହୁ (୨୮) ଓ ଜନ୍ମେଜୟ ବାଗ (୩୨) ରୂପେ ଚିହ୍ନଟ କରାଯାଇଛି । ଉଭୟ ନିକଟସ୍ଥ ଗାଁ ଜାଲିପଡା ଓ ବୁର୍ଦ୍ଦା ନିବାସୀ ବୋଲି ଜଣାପଡିଛି । ଜବତ ସମସ୍ତ ନୋଟ ପ୍ରତ୍ୟେକ ୫୦୦ ଟଙ୍କିଆ ଓ ସିଲବନ୍ଦ ରହିଥିଲା ବୋଲି କୁହାଯାଇଛି । ଏସମ୍ପର୍କରେ ସେଠାରୁ ୨ଟି ଲାପଟପ, ଏକ କମ୍ପ୍ୟୁଟର କୀବୋର୍ଡ, ୧୦ଟି ଜିଓ ସିମକାର୍ଡ, ଗୋଟିଏ କଲର ପ୍ରିଣ୍ଟର ଓ କିଛି ଆନୁସଙ୍ଗିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏସମ୍ପର୍କରେ ତଦନ୍ତ ଆଗକୁ ଜାରି ରହିଛି ଓ ଆଗାମୀ ଦିନରେ ଆଉ ଅନେକ ତଥ୍ୟ ପଦାକୁ ଆସିପାରେ ବୋଲି କୁହାଯାଇଛି ।