ସମ୍ବଲପୁର: ମାସାଧିକ କାଳ ଜଳ ସଂକଟ ସ୍ଥିତିର ସାମ୍ନା କଲା ପରେ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଯଥେଷ୍ଟ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ଜଳସ୍ତରରେ ନିରନ୍ତର ବୃଦ୍ଧି ପରିଲକ୍ଷିତ ହେଉଛି । ଏହି ସଙ୍କ୍ରାନ୍ତରେ ପ୍ରାପ୍ତ ଏକ ପ୍ରଶାସନିକ ସୂଚନା ଅନୁସାରେ ଆଗାମୀ ଆସନ୍ତାକାଲି ତଥା ସୋମବାର ଦିନ ଏଥିରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯିବ । ଏଣୁ ମହାନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ କରି ରଖିବାକୁ ସ୍ଥାନୀୟ ପ୍ରଶାସନକୁ ତାଗିତ୍ କରାଯାଇଛି । ଏବିଷୟରେ ଜାରି କରା ଯାଇଥିବା ସୂଚନା ଅନୁସାରେ ଆଗାମୀ ୧୮ ଜୁଲାଇ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଏହି ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯିବ, ଏଣୁ ମହାନଦୀ ସହ ଏହାର ଶାଖାନଦୀ ଗୁଡ଼ିକରେ ଜଳସ୍ତର ହଠାତ ବୃଦ୍ଧି ପାଇବାର ଆଶଂକା ରହୁଛି । ଏଣୁ ଏହି ସମୟରେ ସାବଧାନ ରହିବା ସହିତ ନଦୀଧାରା ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଇତିମଧ୍ୟରେ ପ୍ରାପ୍ତ ସୂଚନା ଅନୁସାରେ ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଜଳଭଣ୍ଡାରର ଜଳସ୍ତର ୬୦୮.୪୩ ଫୁଟ ରହିଥିଲା ଓ ସେହି ସମୟରେ ଉପର ମୁଣ୍ଡରୁ ୨ଲକ୍ଷ ୫ ହଜାର ୩୪୭ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିଲା ତଥା ଚାଷକାମ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ବିଭିନ୍ନ କେନାଲ ବାଟେ ୨୮ ହଜାର ୪୨୫ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ନିଷ୍କାସିତ ହେଉଥିଲା । ବିଗତ ୨୪ ଘଣ୍ଟା ପୂର୍ବରୁ ଏହାର ଜଳସ୍ତର ୬୦୩.୭୩ ଫୁଟ ରହିଥିଲା ଅର୍ଥାତ୍ ଦିନକ ମଧ୍ୟରେ ଏହାର ଜଳସ୍ତର ପ୍ରାୟ ୫ଫୁଟ ବୃଦ୍ଧି ପାଇଛି ଓ ଏଥିରେ ନିରନ୍ତର ବୃଦ୍ଧି ଦେଖାଯାଉଛି, ଏଣୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଏଠାରୁ ବନ୍ୟାଜଳ ନିଷ୍କାସନ ଅପରିହାର୍ଯ୍ୟ ହୋଇପଡିଛି ।