ନୂଆଦିଲ୍ଲୀ: ଭାରତରେ କରୋନ଼ା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ଟିକାକରଣ ଅଭିଯାନ ମଧ୍ୟ ସମାନ୍ତରାଳଭାବେ ଆଗେଇ ଚାଲିଛି । ଟିକାକରଣ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ପ୍ରତିଷ୍ଠା କରି ଚାଲିଛି । ଏବେ ଭାରତ ଏ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୨ଶହ କୋଟି ଡୋଜ୍ ଦିଆସରିଲାଣି । ଏ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ୧୬ ଜାନୁଆରୀ ୨୦୨୧ରୁ ଟିକାକରଣ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏଁ ୨୦୦ କୋଟି ମାର୍କକୁ ପାର କରିଛି ଭାରତ । ଏହି ଅଭିଯାନରେ ୫ କୋଟି ୪୮ ଲକ୍ଷ ବୁଷ୍ଟର ଡୋଜ୍ ବି ରହିଛି । ପ୍ରଥମ ୧୦୦ କୋଟି ଟିକାକରଣ ୨୭୭ ଦିନରେ ହାସଲ ହୋଇଥିଲା । ତାସହ ଗୋଟିଏ ଦିନରେ ଅଢେଇ କୋଟି ଟିକା ନେବା ଭଳି ବିରଳ ରେକର୍ଡ ବି ଭାରତ ଅର୍ଜନ କରିଛି । ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି । ସେପଟେ ଆଜି କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଦେଶରେ ସଂକ୍ରମଣ ୨୦,୦୦୦ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ପଜିଟିଭିଟି ହାର ୫.୨୩% ହୋଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୫୫% ଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୨୮ କରୋନା ନୂତନ ସଂକ୍ରମଣ ଓ ୪୯ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୫୨୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୭,୫୦,୫୯୯ରେ ପହଞ୍ଚିଛି ।