ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍ ଦେଇଥିଲେ । ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍ ଦେଇଥିଲେ । ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍ ଭିତରେ ଏବଂ ପାର୍ଲାମେଣ୍ଟ୍ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ପୂର୍ବାହ୍ନ ୧୦ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା । ଆଜିର ଭୋଟ୍ିଂରେ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ୍ ପେପର୍ର ରଙ୍ଗ ସବୁଜ ହୋଇଥିବା ବେଳେ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାଲଟ୍ ପେପର୍ର ରଙ୍ଗ ଗୋଲାପୀ । ଏହି ବାଲଟ୍ ପେପର୍ରେ ସାଂସଦ ଓ ବିଧାୟକମାନେ ଏକ ସ୍ୱତନ୍ତ୍ର କଲମରେ ଭୋଟ୍ ଦେଇଥିଲେ । ଆଜି ସକାଳେ ‘ଏନ୍ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଟୁଇଟ୍ କରି ଲେଖିଥିଲେ: ଆଜି ରାଷ୍ଟ୍ରପତି ନିର୍ବାଚନ । ମହାଦେବଙ୍କ ଆଶିଷ ମିଳିବ ବୋଲି ମୋର ବିଶ୍ୱାସ । ହର ହର ମହାଦେବ । ଭୋଟ୍ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ବିଧାନସଭାର ‘ଚିଫ୍ ହୁଇପ୍’ ଆଶିଷ ଶେଲାର୍ କହିଛନ୍ତି, ‘ଏନ୍ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ମୁର୍ମୁ ନିଶ୍ଚୟ ଜିଣିବେ । ମହାରାଷ୍ଟ୍ରରୁ ସେ ରେକର୍ଡ ପରିମାଣର ଭୋଟ୍ ପାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାୟକମାନେ ଭୋଟ୍ ଦେଇଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷେ୍ନøରେ ଭୋଟ୍ ଦେଇଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଦେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବି ଦେଶର ୧୬ଶ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ମତଦାନ କରିଛନ୍ତି । ଆଙ୍ଗୁଠିକୁ ବିଜୟ ସଙ୍କେତ ଇଂରାଜୀ ବର୍ଣ୍ଣମାଳାର ‘ଭି’ ଅକ୍ଷର ପରି ଉଠାଇ ରଖି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାରେ ବିଧାୟକମାନେ ଭୋଟ୍ ଦେଇଥିଲେ । ଆସନ୍ତା ୨୧ ତାରିଖରେ ଗଣତି ସହ ଫଳାଫଳ ଘୋଷଣା ହେବ ।