ଦଶପଲ୍ଲା : -ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ଏମିତି ଏକ ଦାରୁଣ ଓ କରୁଣ ଚିତ୍ର ଦେଖୁବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ । ଏହି ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ୱରରେ ଆକ୍ରାନ୍ତ ଥିଲେ । ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀମାନେ ଚାଲିଚାଲି ଗାଁରେ ପହଁଚିଥିଲେ । ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଗାଡି ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଥିବା ବେଳେ ଏଭଳି ଆଦିବାସୀ ବହୁଳ ଅନେକ ଉପାନ୍ତ ଗ୍ରାମକୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନି । ଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।