ନୂଆଦିଲ୍ଲୀ: ଟିକାକରଣରେ ଭାରତର ବିରଳ ରେକଡର଼୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍ ଟିକାକରଣ ହୋଇସାରିଛି । କରୋନା ଟିକାକରଣରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ଛଡ଼ା କେବଳ ଚୀନ୍ରେ ସର୍ବାଧିକ ଟିକାକରଣ ହୋଇଛି । ୧୬ ଜାନୁଆରୀ ୨୦୨୧ରୁ ଦେଶରେ ଭ୍ୟାକସିନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏଁ ୨୦୦ କୋଟି ମାର୍କକୁ ପାର କରିଛି । ଏହି ଅଭିଯାନରେ ୫ କୋଟି ୪୮ ଲକ୍ଷ ବୁଷ୍ଟର ଡୋଜ୍ ବି ରହିଛି । ପ୍ରଥମ ୧୦୦ କୋଟି ଟିକାକରଣ ୨୭୭ ଦିନରେ ହାସଲ ହୋଇଥିଲା । ତା’ସହ ଗୋଟିଏ ଦିନରେ ଅଢେଇ କୋଟି ଟିକା ନେବା ଭଳି ବିରଳ ରେକର୍ଡ ବି ଭାରତରେ ହୋଇଛି । ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି ।