ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏଥିପାଇଁ ଆସନ୍ତା ଜୁଲାଇ ୨୨ ତାରିଖରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଓ ବିଭିନ୍ନ ପର୍ଯ୍ୟାୟରେ ୪ ଗୋଟେ ପ୍ରସ୍ତୁତି ବୈଠକ ଜୁଲାଇ ମାସ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କଲେଜ ଅଧକ୍ଷ ଭାସ୍କର ନାଥ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଦିନ ଅପରାହ୍ନ ୪ ଘଣ୍ଟା ଠାରେ କଲେଜ ପରିସରରେ ଥିବା ସ୍ମାର୍ଟ କ୍ଳାସ ରୁମଠାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ସୁବର୍ଣ୍ଣ ଜୟନ୍ତୀ ପାଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ କରିଥିଲେ । ଅଗଷ୍ଟ ମାସରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବିଭିନ୍ନ କମିଟି ଗଠନ କରାଯିବ । ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସମ୍ପୂଣ୍ର୍ଣ କମିଟି ଗଠନ ପରେ ଅଧ୍ୟକ୍ଷ ଏହି ସମାରୋହ ପାଳନ ପାଇଁ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିବେ । ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଏହି ସମାରୋହ ପାଳନ କରାଯିବ । ପ୍ରାୟ ୫୦ ହଜାର ସଂଖ୍ୟକ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସମାରୋହ ପାଳନ କରିବା ପାଇଁ ଅଧ୍ୟକ୍ଷ ଆଶାବାଦୀ ରହିଥିବା ସୂଚନା ଦେଇଛନ୍ତି । ସମାରହକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏଭଳି ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିବା ପାଇଁ ଯୋଜନା ରହିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ପୂର୍ବତନ ଛାତ୍ର ଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡିବାକୁ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସଂଗୀତା ତ୍ରିପାଠୀ, ଅଧ୍ୟାପକ ଦିଲ୍ଲୀପ ହୋତା, ଶମ୍ଭୁନାଥ ହୋତା, ମନୋଜ ପଟ୍ଟନାୟକ ଡମେନଷ୍ଟେଟର ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।