ନୂଆଦିଲ୍ଲୀ: ନାସନାଲ ହେରାଲଡ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୋରଦାର ଜେରା କରିଛି । ଇଡି ସୋମବାର ପୁନର୍ବାର ସୋନିଆଙ୍କୁ ପଚରାଉଚରା ପାଇଁ ଡାକିପାରେ । ଆଜି ପ୍ରାୟ ତିନି ଘଣ୍ଟା ଧରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ । ସୋନିଆ ଗାନ୍ଧୀଙ୍କୁ ଇଡିର ମହିଳା ଅଧିକାରୀ ମୋନିକା ଶର୍ମା ପଚରାଉଚରା କରିଥିଲେ । ମୋନିକା ଇଡିରେ ଅତିରିକ୍ତ ନିର୍ଦ୍ଦେଶକ ପଦରେ ଅଛନ୍ତି । ୭୫ ବର୍ଷୀୟ ସୋନିଆଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଫିସରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ସେଥିପାଇଁ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଇଡି ଅଫିସରେ ରହିବାକୁ ଅନୁମତି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଯଦି ସେମାନଙ୍କୁ ବିଶ୍ରାମ ଦରକାର ହୁଏ, ତେବେ ସେମାନଙ୍କୁ ମଧ୍ୟ ଏଥିପାଇଁ ସୁଯୋଗ ଦିଆଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।
ଏଣେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ । ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍ ରେଲୱେ ଷ୍ଟେସନରେ ଧାରଣା ଦେଇଛନ୍ତି । କଂଗ୍ରେସର ଧାରଣା ଯୋଗୁ ୩ଟି ଟ୍ରେନ୍ ବାତିଲ କରାଯାଇଛି । ସେହିପରି ବାଙ୍ଗାଲୁରରେ ଏକ କାରକୁ ଜାଳିଦେଇଛନ୍ତି କଂଗ୍ରେସ କର୍ମୀ । ଯୁବ କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । କଂଗ୍ରେସର ବଡ ବଡ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଆନ୍ଦୋଳନକୁ ଜୋରଦାର କରିଛି ଦଳ । ଆଜି ପୂର୍ବାହ୍ନ ୧୧ଟାରେ ସୋନିଆ ଗାନ୍ଧି ଯିବା ବେଳକୁ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ପୁଅ ରାହୁଲ୍ ଗାନ୍ଧି ସାଥିରେ ଥିଲେ । ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିବାର ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ କରିଥିଲା । କିନ୍ତୁ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.