ନୂଆଦିଲ୍ଲୀ: ଆଜିଠାରୁ ୨୮ଟି ଉଡାଣ ପାଇଁ ଟିକେଟ ବୁକିଂ ଆରମ୍ଭ କରିଛି ନୂଆ ବିମାନ ପରିବହନ କମ୍ପାନୀ ଆକାଶ ଏୟାର । ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ବିମାନ ସଂସ୍ଥା ଆକାଶ ଏୟାର ବୁକିଂ ଆରମ୍ଭ କରିଛି । ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ ଉଡ଼ାଣ କରିବ । ଆକାଶ ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରଥମ ସେବା ପ୍ରଦାନ କରିବ । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଅଗଷ୍ଟ ୭ ତାରିଖରୁ ସାପ୍ତାହିକ ଭିତ୍ତିରେ ଉଡାଣ ସେବା ଜାରି ରହିବ । ଏଥିସହିତ, ଅଗଷ୍ଟ ୧୩ରୁ ବାଙ୍ଗାଲୋର-କୋଚି ମାର୍ଗରେ ଚଳାଚଳ କରିବ । ଉଡ଼ାଣ ଲାଗି ଦୁଇଟି ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଆକାଶ ଏୟାର ଖରିଦ କରିଛି । ସେଥିମଧ୍ୟରୁ ଗୋଟିଏ ଆକାଶ ଏୟାରର ହସ୍ତଗତ ହୋଇସାରିଛି ଏବଂ ଅନ୍ୟଟି ଚଳିତ ମାସ ଶେଷ ସୁଦ୍ଧା ବୋଇଂ ଯୋଗାଇଦେବ । ଆକାଶ ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରୁଛୁ । ନେଟୱାର୍କ ବିସ୍ତାର ଯୋଜନା ଅଧୀନରେ ଦେଶର ବଡ ସହରଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଂଯୋଗ କରିବୁ । ଆକାଶ ଏୟାରକୁ ୭ ଜୁଲାଇରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ରୁ ଏୟାର ଅପରେଟର ସାର୍ଟିଫିକେଟ୍ (ଏଓସି) ମିଳିଥିଲା ।