ଭୁବନେଶ୍ୱର : ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଜରୁରୀ ଆବଶ୍ୟକତା ନାହିଁ । ତାଙ୍କର କିଛି ପୁରୁଣା ରୋଗ ଅଛି, କିନ୍ତୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ନାହିଁ । ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା.ଆଶୁତୋଷ ବିଶ୍ୱାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଶ୍ରୀ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟକୁ କାଲକାଟା ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଏହାପରେ ଭର୍ଚୁଆଲ୍ ମାଧ୍ୟମରେ ଉକ୍ତ ମାମଲାର ଶୁଣାଣି ହୋଇଥିଲା । ଇଡି ପକ୍ଷରୁ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ମାମଲାକୁ ନେଇ ଅଦାଲତ ରାୟ ସଂରକ୍ଷିତ ରଖିଥିବା ଜଣାପଡିଛି ।