ଚିନ୍ତା ବଢାଉଛି ମଙ୍କିପକ୍ସ :
ହାଇଆଲର୍ଟରେ ପ୍ରଭାବିତ ରାଜ୍ୟ

0 46

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ତଳ-ଉପର ସ୍ଥିତିଦେଇ ଗତି କରୁଥିବା ବେଳେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଲାଣି । ବର୍ତ୍ତମାନ ସୁଦ୍ଧା କେବଳ କେରଳ ଓ ରାଜଧାନୀ ଦିଲ୍ଲୀରୁ ଏହି ରୋଗ ଚିହ୍ନଟ ହୋଇଛି । ଦେଶରେ ସମୁଦାୟ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ରହିଛନ୍ତି ୩ ଜଣ । ସେହି କାରଣରୁ କେରଳରେ ହାଇ ଆର୍ଲଟ ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କାନ୍‌ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦରରେ ଏହି ଥର୍ମାଲ୍‌ ସ୍କାନ୍‌ କରିବା ପାଇଁ ସେଠାରେ ଏକ ସ୍ୱତନ୍ତ୍ର ହେଲ୍‌ଥ୍‌ ଡେସ୍କ ଗଠନ କରାଯାଇଛି । ଯେଉଁମାନଙ୍କ ଶରୀରରେ ଜ୍ୱର କିମ୍ବା ମଙ୍କିପସ୍କର ଅନ୍ୟ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ପୃଥକବାସରେ ରଖାଯିବ । ମନ୍ତ୍ରୀ ତାଙ୍କ ରାଜ୍ୟର ଲୋକମାନଙ୍କୁ ସଚେନତ ହେବାକୁ ପରାମର୍ଶ ଦେବା ସହ ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ସକ୍ରିୟ ରହିଛନ୍ତି ବୋଲି ସେ କହିଛନ୍ତି । ୧୪ଟି ଜିଲ୍ଳାରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ବିଶେଷ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଳୀରେ ୪ର୍ଥ ମାମଲା ଚିହ୍ନଟ ହେବା ପୂର୍ବରୁ ପ୍ରଥମେ ଗତ ୧୪ ତାରିଖରେ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା କେରଳରେ ଚିହ୍ନଟ ହୋଇଥିଲା । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ । ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । ସେହିପରି ଜୁଲାଇ ୧୮ରେ ଦେଶର ୨ୟ ମଙ୍କିପକ୍ସ ମାମଲା କେରଳର କୁନ୍ନୁରରେ ଚିହ୍ନଟ ହୋଇଥିଲା । ସେ ବି ଦୁବାଇରୁ ଆସିଥିଲେ । ଜୁଲାଇ ୨୨ ତାରିଖରେ ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । କେରଳ ମାଲାପ୍ପୁରମର ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ବେଳେ ସେ ବି ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ ।
ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏୟାରପୋର୍ଟରେ ହାଲଆଲର୍ଟ ଜାରି କରାଯାଇଛି । ସେହିପରି କେରଳ ସରକାର ମଧ୍ୟ ଆଲର୍ଟରେ ରହିଛନ୍ତି । ମଙ୍କିପକ୍ସ ଦ୍ରୁତ ସଂକ୍ରମଣର କ୍ଷମତା ରଖିଥିବାରୁ ବିଦେଶରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ଏୟାରପୋର୍ଟରେ କରିବାକୁ ନିଷ୍ପତ୍ତି ହୋଇଛି । ମଙ୍କିପକ୍ସର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ୨୦ ଜଣିଆ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ହୋଇ ରହିଛନ୍ତି । ସୋମବାର ସମ୍ଭାବ୍ୟ ମଙ୍କିପକ୍ସ ବିପଦକୁ ନେଇ ଉପ ରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା । ଏହି ବୈଠକ ପରେ ଏୟାରପୋର୍ଟ ଓ ଜିଲ୍ଲା ପ୍ରଶାସନକୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାର ବୈଠକ ପରେ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ସରକାର ଜାରି କରିଥିବା ମଙ୍କିପକ୍ସ ଗାଇଡଲାଇନକୁ କଡାକଡି ପାଳନ କରିବାକୁ କହିଛନ୍ତି । ପଶ୍ଚିମ ଦିଲ୍ଲୀର ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ମଙ୍କିପକ୍ସ ଭାଇରସ ଠାବ ହୋଇଥିଲା । ସେ ବର୍ତ୍ତମାନ ଏଲଏନଜେପି ହସ୍ପିଟାଲରେ ରହିଛନ୍ତି ଓ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ ଗୋଟିଏ ସପ୍ତାହ ସମୟ ଲାଗିବ ।

hiranchal ad1
Leave A Reply

Your email address will not be published.

two × five =