ପୁରୀରେ ଖୁବଶୀଘ୍ର ନିର୍ମାଣ ହେବ ଗ୍ରୀନଫିଲଡ଼ ଏୟାରପୋର୍ଟ

0 122

ପୁରୀ: ପୁରୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲଡ଼ ଏୟାରପୋର୍ଟ । ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ହେବ ଏୟାରପୋର୍ଟ । ଆଜି ଇଡକୋର ଏକ ୩ ଜଣିଆ ଟିମ୍‌ ପୁରୀ ଆସି ଜମି ଅଧିଗ୍ରହଣ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍‌ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଥିବାରୁ ସବୁ ପ୍ରତିବନ୍ଧକକୁ ଦୂର କରି ଖୁବଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୁରୀରେ ହେବ ଆର୍ନ୍ତଜାତୀୟ ବିମାନ ବନ୍ଦର । ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆର ଏକ ପ୍ରତିନିଧି ଦଳ ପୁରୀ ଆସି ସ୍ଥାନ ଦେଖିବା ପରେ ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ ହୋଇଛି । ଗିରଳ ଛକଠାରେ ଥିବା ପ୍ରାୟ ୧୫୦୦ ଏକର ଜମି ଚିହ୍ନଟ ହୋଇଛି । ପୂର୍ବରୁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପୁରୀ ଆସୁଥିଲେ । କିନ୍ତୁ ଏବେ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ପର୍ଯ୍ୟଟକ ମାନେ ଆଉ ଭୁବନେଶ୍ୱରରେ ନଓହ୍ଲାଇ ପୁରୀକୁ ସିଧାସଳଖ ଆସିପାରିବେ । ଏହାଦ୍ୱାରା ପର୍ଯ୍ୟଟନଶିଳ୍ପ ସହ ଜଡିତ ବ୍ୟବସାୟୀ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇପାରିବେ । ଅନ୍ୟପକ୍ଷରେ ପୁରୀରେ ବିମାନ ବନ୍ଦର ନିର୍ମାଣକୁ ନେଇ ସାଧାରଣରେ ସ୍ୱାଗତ କରାଯାଇଛି ।
ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପରାମର୍ଶକୁ ଭିତ୍ତି କରି ଆବଶ୍ୟକୀୟ ସର୍ଭେ ପାଇଁ ରାଜ୍ୟ ସରକାର ୧୭ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର କରିଥିଲେ । ଏହି ଅର୍ଥ ପାଇବା ପରେ ଡିଆରଏସ୍‌ ନାମକ ସ୍ୱୀକୃତ ପ୍ରାପ୍ତ ସଂସ୍ଥା ଦ୍ୱାରା ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି । ଏଥିସହ ଏରୋଡ୍ରମ ସର୍ଭେ, ପ୍ରସ୍ତାବିତ ବିମାନ ଅବତରଣ ସ୍ଥାନ (କ୍ସଙ୍କଦ୍ଭ ଙ୍ଗବଚ୍ଚ), ବିମାନବନ୍ଦର ନିୟନ୍ତ୍ରଣ କକ୍ଷ, ନକ୍ସା ପ୍ରସ୍ତୁତି, ଗାଡ଼ି ପାର୍କିଂ, ବିମାନ ବିଶ୍ରାମସ୍ଥଳ ସ୍ଥାନ ଚିହ୍ନଟ କରାଯାଉଛି । ଖୁବଶୀଘ୍ର ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଜମି ଅଧିଗ୍ରହଣ, ଟେକ୍ନୋ ଫେସିବିଲିଟି ସର୍ଭେ ଓ ସମସ୍ତ ଅନୁମତି ହାସଲ ପରେ ଖୁବଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲଡ଼ ଏୟାରପୋର୍ଟ କାମ ଆରମ୍ଭ ହେବ । ଆସନ୍ତା ଦୁଇବର୍ଷ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

one + 15 =