ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପିଅନ୍ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ(ତ୍ରିରଙ୍ଗା ଧାରକ)ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି,ଉଦଘାଟନୀ ସମାରୋହରେ ସିନ୍ଧୁଙ୍କୁ ଭାରତୀୟ ଦଳର ଧ୍ୱଜାବାହକ ଭାବେ ଦାୟିତ୍ୱ ଦିଆଯାଇଛି । ଗୁରୁବାର (୨୦୨୨ ଜୁଲାଇ ୨୮) ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ସମାରୋହରେ ଭାରତରୁ ସମୁଦାୟ ୧୬୪ଜଣ ଆଥଲେଟ୍ ଏହି କ୍ରୀଡା ସମାରୋହରେ ଅଂଶଗ୍ରହଣ କରିବେ । ସୂଚନା ମୁତାବକ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ଏଥର ବର୍ମିଂହାମ୍ରେ ମହିଳା ଏକକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି । ସେ ଗୋଲ୍ଡ କୋଷ୍ଟ ଏବଂ ଗ୍ଲାସ୍ଗୋରେ ଗତ ଦୁଇଟି ସଂସ୍କରଣରେ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮(ଗୋଲ୍ଡ କୋଷ୍ଟ)ରେ ସିନ୍ଧୁ ମଧ୍ୟ ଜାତୀୟ ପତାକା ଧରିଥିଲେ । ସୂଚନା ଥାଉ କି ବର୍ମିଂହାମ୍ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପକ୍ଷରୁ ତ୍ରିରଙ୍ଗା ଧାରକ ଭାବେ ଜାଭ୍ଲିନ ତାରକା ନୀରଜ ଚୋପ୍ରାଙ୍କୁ ମନୋନୀତ କରାଯାଇଥିଲା । ହେଲେ ଆହତ ହେବା କାରଣରୁ ସେ ରାଜ୍ୟ ଗୋଷ୍ଠୀ କ୍ରୀଡାରୁ ଓହରି ଯାଇଥିଲେ । ଆଉ ଏବେ ତାଙ୍କ ସ୍ଥାନରେ ସିନ୍ଧୁଙ୍କୁ ଏହି ସୁଯୋଗ ଦିଆଯାଇଛି ।