ପୋଖରୀ ନିଲାମରେ ଅନିୟମିତତା ଅଭିଯୋଗ,ଓଡଗାଁ ବ୍ଲକ ଅଫିସ ଆଗରେ ଧାରଣା

0 84

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତର ପାଣଖଜୁରିଆ ବଡ଼ ବନ୍ଧ ଏବଂ ପୁରୁଣା ବନ୍ଧ ନିଲାମ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ଗିରିଡିପଲ୍ଲୀ ସରପଞ୍ଚ ଏବଂ ଜିପିଓ ନିଲାମକୁ ପ୍ରତିଯୋଗିତାମୂଳକ ନକରି ଅହେତୁକ ଅନୁକମ୍ପା ପ୍ରଦର୍ଶନକରି ଏକ ମହିଳା ଗୋଷ୍ଠୀକୁ ୫ ବର୍ଷିଆ ପୋଖରୀକୁ ମାତ୍ର ୧୩ ହଜାର ଟଙ୍କାରେ ଦେଇଛନ୍ତି । ଏହି ନିଲାମ ପ୍ରତିଯୋଗିତାମୂଳକ ହୋଇଥିଲେ ପଞ୍ଚାୟକକୁ ୩/୪ ଗୁଣ ଅଧିକ ଅର୍ଥ ମିଳିଥାନ୍ତା । ଏହି ଅନିୟମିତତାକୁ ବିରୋଧ କରି ପାଣଖଜୁରିଆ ଗ୍ରାମର ମାଁ ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଓଡ଼ଗାଁ ବିଡିଓଙ୍କ ଅଫିସ ଘେରାଉ କରିବା ସହିତ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ, ମାଁ ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ନିଲାମ ପ୍ରକ୍ରିୟାରେ ଭାଗନେବା ପାଇଁ ୩/୪ ମାସ ପୂର୍ବରୁ ଲିଖିତ ଦରଖାସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଥିଲା । ତେବେ ସେମାନଙ୍କୁ ଜାଣିଶୁଣି ଏହି ନିଲାମ ପ୍ରକ୍ରିୟାରୁ ବାଦ୍‌ ଦେଇ ପୋଖରୀ ନିଲାମକୁ ସରପଞ୍ଚ ଏବଂ ଜିପିଓ ସୁବାସ ଚନ୍ଦ୍ର ସେଠୀ ଫିକ୍ସିଂ କରିଛନ୍ତି । ଉଭୟେ ନିଜ ସ୍ୱାର୍ଥ ପାଇଁ ସରକାରଙ୍କ ରାଜସ୍ୱ କ୍ଷତି କରିଛନ୍ତି । ତେଣୁ ଏହି ବେଆଇନ ପୋଖରୀ ନିଲାମକୁ ବାତିଲ କରାଯାଇ ସାନି ନିଲାମ କରିବା ସହ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବା ଦାବିରେ ମାଁ ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବିଡିଓ ଅଫିସ ଘେରାଉ କରି ଧାରଣାରେ ବସିଥିଲେ । ପରେ ବିଡିଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ବିଡିଓ ଏନେଇ ଗିରିଡ଼ିପଲ୍ଲୀ ସରପଞ୍ଚ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଖରୀ ନିଲାମକୁ ବାତିଲ କରିବା ପାଇଁ ଅନୁରୋଧ କରିବେ ବୋଲି କହିଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ବ୍ଳକ କଂଗ୍ରେସ ଉପ-ସଭାପତି ବିଭୂତି ରାଉତ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =