ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଆସନ୍ତା ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏଥିରେ କେନ୍ଦ୍ର ଏବଂ କିଛି ରାଜ୍ୟ ମଧ୍ୟରେ ବଢୁଥିବା ବିବାଦ ଏବଂ ଜିଏସଟିକୁ ନେଇ ଥିବା ବିବାଦ ଉପରେ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବା ପାଇଁ ଅଗଷ୍ଟ ୬ରେ ଦିଲ୍ଲୀ ଆସିପାରନ୍ତି । ତେବେ ତାଙ୍କର ଗସ୍ତକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କୌଣସି ସ୍ୱତନ୍ତ୍ର ବୈଠକକୁ ନେଇ ମଧ୍ୟ କିଛି ଚୂଡାନ୍ତ ହୋଇ ନାହିଁ । କିନ୍ତୁ ଯଦି ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରି ବୈଠକରେ ଯୋଗ ଦିଅନ୍ତି, ତେବେ ରାଷ୍ଟ୍ରପତି ଭବନରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିପାରନ୍ତି । ପାର୍ଥ ଚାଟାର୍ଜୀଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ ରହିଛି । ମମତା ବାନାର୍ଜୀ ସରକାର ଚାପରେ ରହିଛି । ଏହାରି ଭିତରେ ଦୁଇ ନେତାଙ୍କ ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି ।