ବିଶ୍ୱରେ ୨୦ ହଜାରମୁହାଁ ମଙ୍କିପକ୍ସ ମାମଲା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ମାମଲା । ପଞ୍ଚମ ଆକ୍ରାନ୍ତଜଣକ ହିମାଚଳ ପ୍ରଦେଶର ସୋଲେନ ଅଞ୍ଚଳର ବୋଲି ଜଣାପଡିଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଯାହାକି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକୁ ପଠାଇ ଦିଆଯାଇଛି । ପ୍ରାୟ ୨୧ ଦିନ ପୂର୍ବେ ଆକ୍ରାନ୍ତଙ୍କ ନିକଟରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଇଥିଲା । ପରୀକ୍ଷା ପରେ ତାହା ପଜିଟିଭ ବାହାରିଥିଲା । ଏବେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି । ଏଥିସହ ଆଖପାଖ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ,ଦେଶରେ ମଙ୍କିପକ୍ସର ମାମଲା ଧୀରେ ଧୀରେ ମୁଣ୍ଡ ଟେକୁଥିବା ବେଳେ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍କିପକ୍ସ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି,ସେମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ ରୋଗୀ । ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି ।