ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲଗାତାର ତିନିଦିନ ଧରି ଜେରା ପରେ ଏବେ ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ନଜର ପକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆଜି ଏହି ଅଫିସ ଉପରେ ଇଡି ରେଡ୍ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏହି ଅଫିସ ସମେତ ଦିଲ୍ଲୀ ଓ କୋଲକାତାର ୧୨ଟି ସ୍ଥାନରେ ଚଢାଉ କରିଛି । ଇଡି ନ୍ୟାସନାଲ ହେରାଲ୍ଡ ଏବଂ ଏଥିସହ ସଂପୃକ୍ତ କମ୍ପାନୀଗୁଡିକର ଆକାଉଣ୍ଟକୁ ଯାଞ୍ଚ କରୁଛି । ଇଡି ରେଡ୍ କରିବା ବେଳେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନଥିଲେ । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡୀ ଇଡିର ଏହି ଚଢାଉକୁ ନେଇ କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ । ଏହା ରାଜନୈତିକ ପ୍ରତିଶୋଧ ଛଡା ଆଉ କିଛି ନୁହେଁ । ନିକଟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଚରାଉଚରା କରିଥିଲା । ଇଡି ସୋନିଆଙ୍କୁ ପ୍ରାୟ ୧୦୦ରୁ ଅଧିକ ପ୍ରଶ୍ନ କରିଥିଲେ । କେବଳ ଏତିକି ନୁହେଁ, ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଇଡି ପାଞ୍ଚ ଦିନ ଯାଏ ଘାଣ୍ଟିଥିଲା । ପାଖାପାଖି ତାଙ୍କୁ ୧୫୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ଇଡିଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ସାରା ଦେଶରେ ସତ୍ୟାଗ୍ରହ କରିଥିଲା । ଏହି ସମୟରେ ଅନେକ କଂଗ୍ରେସ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣ ସହ ଜଡିତ ଥିବା “ନ୍ୟାସନାଲ ହେରାଲ୍ଡ ମାମଲା” ରେ ଗାନ୍ଧୀ ପରିବାରକୁ ପ୍ରଶ୍ନ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆର ସମ୍ପତ୍ତିରେ ୮୦୦ କୋଟିରୁ ଅଧିକ ଟଙ୍କାର ହେର୍ଫେର୍ କରିଛି । ଆୟକର ବିଭାଗର ସୂଚନାନୁସାରେ, ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ଏଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧି ଅଛନ୍ତି, ଯେଉଁଥିପାଇଁ ସେମାନେ ଟିକସ ଦେବେ ।