ଖପ୍ରାଖୋଲ : ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଏଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରାମାକାନ୍ତ ସାହୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଗୁରୁବାର ଖିତିସ ବେହେରା ନାମକ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ଓଏଭି ସ୍କୁଲ ନିକଟରେ ଏକ ବୁଲେଟ ମୋଟର ସାଇକେଲରେ ତିନି ଜଣ ଲୁଟେରା ମୋଟର ସାଇକେଲ ଅଟକାଇ ଖିତିସ ଠାରୁ ଏକ ମୋବାଇଲ ଫୋନ, ଏକ ଟାବଲେଟ ଓ ବିଭିନ୍ନ କାଗଜପତ୍ର ଲୁଟି ଫେରାର ହୋଇଥିଲେ । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସୂଚନା, ସି.ସି.ଟି.ଭି ଫୁଟେଜ, ବୈଷୟିକ ବିଜ୍ଞାନ କୌଶଳରେ ସହାୟତାରେ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଗିରଫ ଲୁଟେରା ମାନେ ହେଲେ ପଟଣାଗଡ଼ ଥାନା କୁତମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର(୨୨), ମୁଣ୍ଡାପଲା ଗାଁର କେଶବ ବାରିକ (୨୭), ଘୁନଘୁଟିପାଲି ଗାଁର ଗୋବିନ୍ଦ କାଲସାଏ (୨୬), ଭାଲୁପିଟା ଗାଁର ତରଣୀ ଜଗଦଲା (୨୮) ଏବଂ ତୁଷୁରା ଥାନା ଅଞ୍ଚଳର ନାବାଳକ ଲୁଟେରା (୧୬)କୁ ଗିରଫ କରିବା ସଫଳ ହୋଇଥିବା ବେଳେ ଲୁଟେରାଙ୍କ ଠାରୁ ନଗଦ ୫୫୦୦ ଟଙ୍କା, ଲୁଟରେ ବ୍ୟବହାର ଏକ ବୁଲେଟ ମୋଟର ସାଇକେଲ( ଓଡି ୦୨ ଏମ ୨୯୯୪ ), ଏକ କଲା ପଲସର ଏବଂ ସିଡ଼ି ଡିଲକ୍ସ ଜବତ ହୋଇଛି । ସେହିପରି ୬ଟି ଡ଼ି.ଏସ.ଏଲ.ଆର ଦାମି କ୍ୟାମେରା ଲୁଟ କରି ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ବେଳେ ତଦନ୍ତ ବେଳେ ତାକୁ ଉଦ୍ଧାର କରି ଜବତ କରିଛି ପୋଲିସ । ୨ଟି ସାମସଙ୍ଗ ଟାବଲେଟ ସମେତ ୯ଟି ମୋବାଇଲ ପୋଲିସ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତ ମାନଙ୍କ ନାମରେ ତୁଷୁରା, ଦେଓଗାଁ, ବଲାଙ୍ଗିର ସଦର ଆଦି ଥାନାରେ ଚାରିରୁ ଅଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ଗିରଫ ପାଞ୍ଚ ଜଣ ଅଭିଯୁକ୍ତ ମଧ୍ୟରୁ ଚାରି ଜଣଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ରାଉଲକେଲା ଯୁଭେନାଇଲ କୋର୍ଟକୁ ପଠା ଯାଇଥିବା ଜଣାଯାଇଛି । ଖପ୍ରାଖୋଲ ପୋଲିସ ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଲୁଟ ସାମଗ୍ରୀ ଜବତ କରିଥିବାରୁ ଥାନା ଅଧିକାରୀଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜଣାଯାଇଛି ।