ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି ସୋମବାର ଅବକାରୀ ବିଭାଗ ଥାନା ଅଧିକାରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବ୍ୟାପକ ଦେଶୀ ମଦ ସହିତ ବିଦେଶୀ ମଦ ଓ ମହୁଲ ପୋଚ ଜବତ ହୋଇଥିବା ଜଣାଯାଇଛି । ଚଢ଼ାଉ ବେଳେ ଦମେଇପାଲି ଗାଁର ହରେକୃଷ୍ଣ ବରିହା, ବିଜୟ ବେହେରା, ଦଶରୁ ବରିହା ଏବଂ ଖଗେଶ୍ୱର ରଣାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ତାଙ୍କଠାରୁ ୯୫୦ ଲିଟର ମଦ, ୧୫ ଲିଟର ବିଦେଶୀ ମଦ, (ବିୟର) ଏକ ଫ୍ରିଜ ସହ ୬ କ୍ୱିଣ୍ଟାଲ ୫୦ କେଜି ମହୁଲ ପୋଚ ସହ ମଦରନ୍ଧା ଉପକରଣ ଜବତ କରିଥିବା ଜଣାପଡିଛି । ଏକା ସାଙ୍ଗରେ ଗୋଟିଏ ଗାଁରେ ଏତେ ପରିମାଣରେ ମହୁଳି ମଦ ମିଳିଥିବା ଚର୍ଚ୍ଚାର ବିଷୟ ହେଉଛି । ଏନେଇ ପାଟଣାଗଡ଼ ଅବକାରୀ ଥାନା ରେ ଚାରୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ ପ୍ରକାଶ କରିଛନ୍ତି ।