ସମ୍ବଲପୁର: ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ଏଠାକାର ଜନଜୀବନ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ନଗର ଉପକଣ୍ଠ ସ୍ଥିତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ ଉପରୁ ପଥର ଅତଡା ଖସି ସଂଲଗ୍ନ ଜାତୀୟ ରାଜପଥ ୫୫ ଉପରେ ପଡ଼ିଥିବାରୁ ସେହି ବାଟରେ ଯାତାୟତ ପ୍ରଭାବିତ ହୋଇଛି । ପଥର ଖସିବା ଘଟଣା ପରଠାରୁ କର୍ତ୍ତୃପକ୍ଷ ଏହି ସଡ଼କ ଦେଇ ଯାତାୟତ ପ୍ରତିବନ୍ଧିତ କରି ଦେଇଛନ୍ତି । ସୁଯୋଗକୁ ଏହା ଚାରି ଥାକିଆ ସଡ଼କ ହୋଇଥିବାରୁ ପ୍ରଭାବିତ ଦୁହି ସଡକକୁ ବାଦଦେଇ ବାକି ଦୁଇ ସଡ଼କ ଦେଇ ଯିବା ଆସିବା ହୋଇପାରୁଛି, ତଥାପି ବାଟ ସଙ୍କୀର୍ଣ୍ଣ ହୋଇଯାଇଛି ଓ ଯାତାୟାତ ଧିମେଇ ଯାଇଛି । ଏହା ପୂର୍ବରୁ ଅନେକ ଥର ସେହି ସ୍ଥାନରେ ପାହାଡ଼ ଉପରୁ ପଥର ଅତଡା ଖସି ଯାତାୟାତ ପ୍ରଭାବିତ ହୋଇଛି । ଏଣୁ ଦିଲ୍ଲୀରୁ ବିଶେଷଜ୍ଞ ଡକାଇ ଏବିଷୟରେ ସେମାନଙ୍କ ମତାମତ ନିଆଯାଇଥିଲା ଓ ସେମାନଙ୍କ ମତ ଅନୁସାରେ ଉକ୍ତ ରାଜପଥ ଉପରେ ମଜବୁତ କଙ୍କ୍ରୀଟ ସୁଡ଼ଙ୍ଗ ପରି ଏକ ସଂରଚନା ନିର୍ମାଣ ବଳରେ ଏହାକୁ ସୁରକ୍ଷିତ କରାଯିବା ଉଚିତ । ଏବିଷୟରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ମଧ୍ୟ ପ୍ରସ୍ତୁତ କରାଯାଇଛି, ପାଣ୍ଠି ମଞ୍ଜୁର ହୋଇ ନଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।