ବାଲିଗୁଡ଼ା: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ ଭର୍ତ୍ତି ହୋଇ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଏବେ ପାଖାପାଖି ଦୁଇ ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୋଖରୀ ସୌନ୍ଦର୍ଜୀକରଣ ପାଇଁ ପୋଖରୀ ହୁଡ଼ାରେ ନବ ନିର୍ମିତ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ବସ୍ ଷ୍ଟାଣ୍ଡକୁ ଲାଗି ରହିଥିବା ପୋଖରୀର ମଧ୍ୟ ନବ ନିର୍ମିତ ପାର୍ଶ୍ଵ କାନ୍ଥ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା । ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷରେ କାନ୍ଥ ଭୁଶୁଡ଼ି ପଡ଼ୁଛି ଏବଂ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ପ୍ରିୟା ପ୍ରୀତି ଯୋଗୁଁ ଏଭଳି ନିମ୍ନମାନର କାମ ହେଉଛି ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜନସାଧାରଣ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ ଅଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କ ସମେତ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦାରୁ ଯାଇନପାରି ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ବାବଦରେ କୌଣଶି ସୂଚନା ମିଳିପାରିନାହିଁ ।