ପାଣି ଘେରରେ ସାରସ୍ୱତ ସାଧକ ସୁଦାମ ନାଏକଙ୍କ ଘର, କଲ୍ୟାଣ ମଣ୍ଡପରେ ଆଶ୍ରା ନେଇଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ

0 240

ସୁବର୍ଣ୍ଣପୁର : ବିଶିଷ୍ଟ ଐତିହାସିକ, ସାହିତ୍ୟିକ ତଥା ସଂସ୍କୃତି ଗବେଷକ ସୁଦାମ ନାଏକଙ୍କ ଘରେ ଏବେ ବି ବନ୍ୟା ପାଣି ଢେଉ ଖେଳୁଛି । ଖଟ, ଖଟିଆ, ଆସବାବ ପତ୍ର ଆଦି ପାଣିରେ ଭାସୁଛି । ଏପଟେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଆଶ୍ରା ଯୋଗାଉଛି ନିକଟସ୍ଥ କଲ୍ୟାଣ ମଣ୍ଡପ । ୮୫ ବର୍ଷୀୟ ବୁଢା ବାପା, ଜଣେ ଭିନ୍ନକ୍ଷମ ପୁଅ, ସ୍ତ୍ରୀ, ପୁଅଙ୍କୁ ଧରି ଏହି କଲ୍ୟାଣ ମଣ୍ଡପର ଏକ କୋଠରୀରେ ତିନି ଦିନ ହେଲା ରୋଷେଇ କରି ଜୀବନ ଜିଉଁଛନ୍ତି । ଗତ ୧୪ ତାରିଖରେ ମହାନଦୀର ବନ୍ୟାଜଳ ତାଙ୍କ ଘରକୁ ହଠାତ ଘେରି ଯାଇଥିଲା । ଅତ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଧରି ସମସ୍ତେ ରାସ୍ତା ଉପରକୁ ପଳାଇ ଆସିଥିଲେ । ଏହି ଦର୍ଦ୍ଦଶା ଜାଣି ପୂର୍ବତନ କାଉନସିଲର ଜିତେନ୍ଦ୍ର ସାହୁ କଲ୍ୟାଣ ମଣ୍ଡପର ତାଲା ଖୋଲି ଦେଇ ଶୀତଳେଇ କଲ୍ୟାଣ ମଣ୍ଡପର ଗୋଟିଏ କୋଠରୀରେ ଆଶ୍ରା ନେବା ପାଇଁ ପରାମର୍ଶ ଦେଇଥିଲେ । ତିନି ଦିନ ହେଲା ସେହି ସ୍ଥାନରେ ନିଜସ୍ୱ ଖର୍ଚ୍ଚରେ ରୋଷେଇ କରି ପରିବାର ଧରି ଦିନ ବିତାଉଛନ୍ତି ଜଣେ ସାରସ୍ୱତ ସାଧକ । କ୍ଷୋଭର ବିଷୟ ମଙ୍ଗଳବାର ଯାଏଁ ସୁଦାମ ନାଏକଙ୍କ ନିକଟକୁ କୌଣସି ସାମନ୍ୟ ଚୁଡା, ଚାଉଳ ଭଳି ରିଲିଫ୍‌ ସାମଗ୍ରୀ ମଧ୍ୟ ପହଞ୍ଚି ନାହିଁ । ସମସ୍ତେ ଆଜାଦୀର ଅମୃତ ମହୋତ୍ସବ ପାଳନରେ ମସଗୁଲ ଥିବା ବେଳେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ସାହିତ୍ୟର ଇତିହାସ, ସୁବର୍ଣ୍ଣପୁର ଦରବାରୀ ସାହିତ୍ୟ, ସୁବର୍ଣ୍ଣପୁର ଇତିହାସ ଭଳି ପୁସ୍ତକର ରଚୟିତା ସୁଦାମ ନାଏକଙ୍କ ଉପରେ ଦୃଷ୍ଟି ପକାଇବା ପାଇଁ କୌଣସି ସରକାରୀ ବାବୁଙ୍କ ସମୟ ନାହିଁ । ସୁଦାମ ବାବୁଙ୍କ କହିବାନୁସାରେ ଚଳିତ ଅଗଷ୍ଟ ୧୫ ଆମ ପାଇଁ ସବୁଥିରୁ କଷ୍ଟଦାୟକ ଥିଲା ।
ଆର୍ଥିକ ଅନାଟନ ଯୋଗୁଁ ଘୋଡାଘାଟ ପଡା ଭିତରେ ଥିବା ତାଙ୍କ ଘର ଡିହ ବିକି ଜିନ୍‌ ନଦୀ କୂଳ ଶୀତଳେଇ ମନ୍ଦିର ନିକଟସ୍ଥ ଏକ ସରକାରୀ ଜାଗାରେ ଆଜବେଷ୍ଟସ୍‌ ଘର ଖଣ୍ଡେ ତୋଳି ସେ ରହି ଆସୁଛନ୍ତି । ବିନିକାର ଏକ ବେସରକାରୀ ସ୍କୁଲରେ ଶିକ୍ଷକତା ସହ ଟ୍ୟୁସନ୍‌ ପଢାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ବନ୍ୟା ତାଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ କରିଦେଲା । ବନ୍ୟା ଜଳରେ ବହୁ ଜିନିଷ ନଷ୍ଟ ହୋଇ ଯାଇଥିବ ବୋଲି ସେ କ୍ଷୋଭର ସହ କହିଛନ୍ତି । ଅବିଳମ୍ବେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦୁର୍ଦ୍ଦିନରେ ଥିବା ଏପରି ଦରଦି ସାରସ୍ୱତ ସାଧକଙ୍କର ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

three × 4 =