ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଙ୍ଗଲୀ ଭାଲୁ ଆତଙ୍କ । ପତ୍ର ତୋଳିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ଥାନା ତୁମୁଡ଼ିବନ୍ଧ ବନାଞ୍ଚଳର ଟଙ୍ଗମ ଗାଁରେ । ସୂଚନା ପ୍ରକାରେ ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିନସ୍ଥ ଟଙ୍ଗମ ଗ୍ରାମରେ ଗତକାଲି ଅପରାହ୍ନରେ ବୁଦୁଲି ମଳିକ ନାମକ ବୃଦ୍ଧା ନିକଟସ୍ଥ ଜଙ୍ଗଲକୁ ସିଆଳି ପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ବୃଦ୍ଧାଙ୍କ ଚିତ୍କାର ଶୁଣି ସ୍ୱାମୀ ବାଞ୍ଛା ମଳିକ ଓ ସୁନିତା ମଳିକ ଭାଲୁ କବଳରୁ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗଛ କୋରଡ଼ରେ ଛପି ରହିଥିବା ଭାଲୁ ଉଭୟଙ୍କୁ ପୁଣି ଆକ୍ରମଣ କରିଥିଲା । ଫଳରେ ଉଭୟ ଗୁରୁତର ହୋଇ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଏବଂ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ବନବିଭାଗର ରେଞ୍ଜର ଲଳିତ ମୋହନ ନାୟକ, ଫରେଷ୍ଟର ଜ୍ୟୋତିରାଜ ମଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଜାରି ରଖିବା ସହିତ ପନ୍ଦର ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।