କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗ୍ କ୍ରିକେଟ ମ୍ୟାଚ । ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ସଂପାଦକ ସଂଜୟ ବେହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାରବାଟୀ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ । ଲିଜେଣ୍ଡ କ୍ରିକେଟ ଲିଗର ପ୍ରଥମ ସଂସ୍କରଣ ଓମାନରେ ଖେଳାଯାଇଥିଲା । ଏହାର ଦ୍ୱିତୀୟ ସଂସ୍କରଣ ଭାରତରେ ଖେଳାଯିବ । ଲିଜେଣ୍ଡ ଲିଗ କ୍ରିକେଟ କଟକ ସମେତ କୋଲକାତା, ଲକ୍ଷେ୍ନø, ନୂଆଦିଲ୍ଲୀ, ରାଜକୋଟ ଓ ଯୋଧପୁରରେ ଆୟୋଜନ ହେବ । ଆୟୋଜକ ଆବସୋଲୁଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ଅନଲାଇନରେ ଟିକେଟ ବିକ୍ରି ହେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ୟୁସଫ ପଠାନ, ଯୁବରାଜ ସିଂହ ଏହି ମ୍ୟାଚରେ ଯୋଗଦେବେ । ସୋନୀ ନେଟୱାର୍କରେ ଏହି ମ୍ୟାଚଗୁଡିକର ପ୍ରସାରଣ ହେବ । ଓଡିଆ କ୍ରିକେଟର ପ୍ରଜ୍ଞା ଓଝା ମଧ୍ୟ ଲିଜେଣ୍ଡ କ୍ରିକେଟ ଲିଗ ଖେଳିବେ । ସେହିପରି ହରଭଜନ ସିଂହ, ଏସ୍ ଶ୍ରୀସନ୍ଥ ମଧ୍ୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ବିଦେଶୀ ଖେଳାଳିଙ୍କ ମଧ୍ୟରେ କ୍ରିସ ଗେଲ, ସେନ୍ ୱାଟସନ, ବ୍ରେଟ୍ ଲି, ଜଣ୍ଟି ରୋଡ୍ସ, ଡେଲ୍ ଷ୍ଟେନ୍, ସନତ ଜୟସୁରିଆ ପ୍ରମୁଖ ଜଣାଶୁଣା ଖେଳାଳି ସାମିଲ ଅଛନ୍ତି । ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଟିମ୍ ଖେଳିବେ । ଆଇପିଏଲ ଭଳି ଏହାର ୪ଟି ପ୍ରାୟୋଜକ ଟିମ୍ ଅଛନ୍ତି ବୋଲି ସେ କହିଛନ୍ତି ।