ପଲିଥିନର ଛାତ ତଳେ ଚାଲିଛି ଶିକ୍ଷାଦାନ; ବିଡିଓଙ୍କୁ ଜଣାଇଲେ ସ୍କୁଲ ପରିଚାଳନା କମିଟି ସଦସ୍ୟ

0 305

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୧୮ମସିହା ଜାନୁଆରୀ ୧ ତାରିଖରୁ ସ୍ଥାପିତ ହୋଇଅଛି । ଏହି ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ କରିବାରେ ତଥା ଅନେକେ ଯୋଗ୍ୟ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ସୌଭାଗ୍ୟର ବିଷୟ ଏହି ଶତାୟୁ ସ୍କୁଲକୁ ଦୀର୍ଘ ବର୍ଷ ପରେ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଛି । ଏହି ସ୍କୁଲ ସହିତ ୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ମଧ୍ୟ ରହିଛି । ସ୍କୁଲକୁ ଲାଗି ଛାତ୍ରାବାସ ରହିଥିବା ବେଳେ ଉଭୟ ସ୍କୁଲ ଓ ଛାତ୍ରାବାସର ଅନେକ ସମସ୍ୟା ଲାଗିରହିଛି, ବିଶେଷ କରି ସ୍କୁଲରେ ଶ୍ରେଣୀଗୃହ ଓ ଶୌଚାଳୟର ଅଭାବ ଥିବା ବେଳେ ଛାତ୍ରାବାସରେ ମଧ୍ୟ ଆବଶ୍ୟକୀୟ ଶୌଚାଳୟ ନାହିଁ ଆଉ କେତେକ ଅଚଳାବସ୍ଥାରେ ରହିଥିବା ଜଣାପଡିଛି । ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ବହୁବର୍ଷ ପୂର୍ବରୁ ସ୍କୁଲ ବଉଣ୍ଡାରୀରେ କିଛି ବୃକ୍ଷ ଚାରାରୋପଣ କରାଯାଇଥିଲା ତାହା ଦିନକୁ ଦିନ ବୃଦ୍ଧିପାଇ ବର୍ତ୍ତମାନ ବିରାଟକାୟ ବୃକ୍ଷରେ ପରିଣତ ହୋଇଛି । ଯାହା ବର୍ତ୍ତମାନ ଏହି ବିଦ୍ୟାଳୟ ଓ ଏଠାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଝଡ଼ ବର୍ଷାରେ ଗଛରୁ ଶାଖା ଖଣ୍ଡ ଗୁଡିକ ବାରମ୍ବାର ଆଜବେଷ୍ଟ ଉପରେ ପଡି ତିନୋଟି କ୍ଲାସ ରୁମର ଆଜବେଷ୍ଟ ଭାଙ୍ଗି ଯାଇଥିବା ବେଳେ ସାମାନ୍ୟ ବର୍ଷା ହେଲେ ପିଲାମାନେ କ୍ଲାସ ରୁମ ଭିତରେ ବସି ପାଠ ପଢିବା ସମ୍ଭବ ହେଉନାହିଁ । ଅନୁନ୍ୟ ଉପାୟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ କ୍ଲାସ ରୁମ ଛାତ ଉପରେ ପଲିଥିନ ଘୋଡାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଥିବା ଗଛ ଗୁଡ଼ିକ କାଟିବା ପାଇଁ ଦୀର୍ଘ ଦୁଇ ବର୍ଷ ହେଲାଣି ସ୍କୁଲ ପରିଚାଳନା କମିଟିର ତତ୍କାଳୀନ ସଭାପତି ବିକ୍ରମ ବସ୍ତିରାଇଙ୍କ ନେତୃତ୍ୱରେ ସମସ୍ତ ପ୍ରକାର ଉଦ୍ୟମ କରି ପ୍ରଶାସନିକ ସହାୟତା ଲୋଡିଥିଲେ କିନ୍ତୁ କୌଣସି କାରଣବଶତଃ ତାହା କାର୍ଯ୍ୟକାରୀ ହୋଇପାରିନଥିବା ବେଳେ ମଙ୍ଗଳବାର ଦିନ ପୁଣିଥରେ ନୂତନ ସଭାପତି ଗଣେଶ ଡାକୁଆ, ମୋ ସ୍କୁଲ ଅଭିଯାନର ସଭାପତି ପଦ୍ମନ ପାଇକ ସ୍କୁଲ କମିଟି ସଦସ୍ୟ ବନବାସୀ ବିଶୋଇ, ଶରତ ଚନ୍ଦ୍ର ବଳିୟାର ସିଂ, ୱାର୍ଡ ସଭ୍ୟା ସୁନିତା ବିଶୋଇ ପ୍ରମୁଖ ଦାରିଙ୍ଗବାଡ଼ି ଯାଇ ବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଗଦାଧର ପାତ୍ରଙ୍କୁ ଲିଖିତ ଅଭିଯୋଗ କରିଥିବା ନେଇ ସ୍କୁଲ କମିଟି ସଭାପତି ଶ୍ରୀ ଡାକୁଆ ସୂଚନା ଦେଇଛନ୍ତି । ତୁରନ୍ତ ଗଛ ଗୁଡ଼ିକ କଟା ନଗଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

11 + 2 =