ଘୁ.ଉଦୟଗିରି : ସରକାରଙ୍କ ବିଚିତ୍ର ଶିକ୍ଷା ବ୍ୟବସ୍ଥା କାମଚଳାରେ ଚାଲିଛି ସ୍କୁଲ । ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡ଼ ପଦାସାହି ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଘୁ. ଉଦୟଗିରି ପ୍ରବେଶ ପଥରେ ଥିବା ପ୍ରଥମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯେଉଁଠି ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଡୁଗୁଡ଼ି, ପଦାସାହି, ପିଡ଼ିକା ମାହାର ବହୁ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି । କିନ୍ତୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧ ଜଣ ଶିକ୍ଷକ ୩ ଜଣ ଶିକ୍ଷୟତ୍ରୀଙ୍କ ଦ୍ୱାରା ପାଠପଢ଼ା ହେଉଥିବା ବେଳେ ମାତ୍ର ୩ ଟି ଶ୍ରେଣୀ ଗୃହ ରହିଛି । ସେଥି ମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହରେ ଅଫିସ କାର୍ଯ୍ୟ ସହ ପିଲାଙ୍କୁ ପାଠପଢ଼ା ହେଉଥିବା ସ୍କୁଲ କମିଟି ସଭାପତି ସୂଚନା ଦେଇଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାରେ ସମସ୍ୟା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସୁବିଧା ହେଉଛି । ଏପରିକି ସ୍କୁଲର ଚତୁର୍ପାର୍ଶ୍ୱରେ ଛାତ୍ର ଛାତ୍ରୀଙ୍କ ପାଇଁ ସୁରକ୍ଷା ପ୍ରାଚୀର ମଧ୍ୟ ନାହିଁ । ଏପଟେ ସ୍କୁଲଟି ବ୍ୟସ୍ତ ବହୁଳ ରାଜ୍ୟ ରାଜପଥ କଡ଼ରେ ରହିଥିବାରୁ ଦୁର୍ଘଟଣାର ବିପଦ ରହିଥିବା ସ୍କୁଲ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ସହ ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ପଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଥିରୁ ବାଦ୍ ପଡିବା ଫଳରେ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକୀୟ ଶ୍ରେଣୀ ଗୃହ, ଶିକ୍ଷକ/ଶିକ୍ଷୟତ୍ରୀ, ସୁରକ୍ଷା ପ୍ରାଚୀର,ଖେଳପଡିଆ, ପିଇବା ପାଣି ସମ୍ପର୍କରେ କମିଟି ପକ୍ଷରୁ ବହୁଥର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହ ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସ୍କୁଲ ସମୟରେ ଛାତ୍ର ଛାତ୍ରୀଙ୍କ ପାଇଁ ଦୁର୍ଘଟଣାରୁ ସୁରକ୍ଷା ଓ ଶିକ୍ଷାର ବିକାଶ ପାଇଁ ଅଭିଭାବକ ମହଲରେ ଚିନ୍ତା ସହ ଅସନ୍ତୋଷ ଦେଖିବାକୁ ମିଳିଛି । ସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ସ୍କୁଲ କମିଟି ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।